ମାଲକାନଗିରି:ରାସ୍ତାରୁ ଉଠୁଛି ଫଡା ଫଡା ପିଚୁ । ଦୁଇ ପାଖରେ ବଡ ବଡ ଖାଲ ଆଉ ସେ ଖାଲରେ ଭରି ରହିଛି ବର୍ଷା ପାଣି । ରାସ୍ତାର ଏପରି ଦୟନୀୟ ଅବସ୍ଥା ପାଇଁ ଲୋକମାନେ ବିପଦରେ ଯାତାୟତ କରୁଛନ୍ତି । ରାସ୍ତାର ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସିନ୍ଧିଗୁଡାରୁ ମୁରୁକିଗୁଡା ଯାଏ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ । 69.71 ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ରାସ୍ତାକୁ ବର୍ଷେ ନପୂରୁଣୁ ରାସ୍ତାର ଏପରି ଶୋଚନୀୟ ଅବସ୍ଥା ହୋଇଛି । ନିମ୍ନମାନର ରାସ୍ତା କାମ ହୋଇଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ ।
PMGSY ରାସ୍ତା କାମ ନିମ୍ନମାନର ଅଭିଯୋଗ ଗାଁଁ ଗାଁଁକୁ ପକ୍କା ରାସ୍ତା ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗାଁକୁ ରାସ୍ତା କରାଯାଇଛି । ଲୋକମାନଙ୍କ ଯାତାୟତ ସୁବିଧା ଲକ୍ଷ୍ୟରେ ଏହା କରାଯାଉଛି । ହେଲେ ବାସ୍ତବ ଚିତ୍ର କିଛି ଅଲଗା । 2019 ଜୁନ 17 ତାରିଖରେ ମାଲକାନଗିିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡାରୁ ମୁରୁକିଗୁଡା ଯାଏ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା । ଏଥିପାଇଁ 69.71 ଲକ୍ଷ ବ୍ୟୟ ଅଟକଳ ହୋଇଥିଲା । ମାର୍ଚ୍ଚ 16 2020ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଏବେ ରାସ୍ତାର ଅବସ୍ଥା ନ କରିବା ଭଲ । ରାସ୍ତାର ପିଚୁ, ବଜୁରି ଓ ଚିପ୍ସ ବାହାରି ଅଲଗା ହୋଇ ଯିବା ସହ ରାସ୍ତାରେ ବଡ ବଡ ଗାତ ହୋଇଛି ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା କାମ ପ୍ୟାକଜ ନମ୍ବର ୪୩୦ ଗତ ବର୍ଷ କାମ ସରିଛି ହେଲେ କାମକୁ ବର୍ଷେ ନପୂରୁଣୁ ରାସ୍ତାର ଅବସ୍ଥା ଦୟନୀୟ ହୋଇ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଉପରେ ପାଖାପାଖି ୧୫ଟି ଗାଁର ଲୋକ ନିର୍ଭର କରନ୍ତି । ଏହି ରାସ୍ତାଦେଇ ଯାତାୟତ କରୁଥିବା ଗ୍ରାମବାସୀ ମାନେ କହିଛନ୍ତି ରାସ୍ତା ନିମ୍ନମାନର ହେବା ସହ ବର୍ତ୍ତମାନ ରାସ୍ତା ମରାମତି ନାମରେ କଣ୍ଟ୍ରାକ୍ଟର କେବଳ କ୍ରସର ଗୁଣ୍ଡ ପକାଇ କାମ ସାରି ଦେଇଥିବା ଅଭିଯୋଗ ହୋଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।
ଏହି ଅଭିଯୋଗ ନେଇ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ ୧ର ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି, ''ମରାମତିରେ ବର୍ଷାରେ ପିଚୁ ନଧୋଇବା ପାଇଁ କଣ୍ଟ୍ରାକ୍ଟର ଏଭଳି କରିଥାଇପରେ । ଏଠି ପ୍ରଶ୍ନ ଉଠୁଛି କଣ୍ଟ୍ରାକ୍ଟର କିପରି ବିନା ଏଷ୍ଟୁମେଣ୍ଟରେ କିପରି କାମ କରୁଛନ୍ତି । ଏଠୁ ସ୍ପଷ୍ଟ ଜଣା ପଡୁଛି ବିଭାଗୀୟ ଯନ୍ତ୍ରୀ, ଏସକ୍ୟୁମ୍ ମଧ୍ୟରେ କିଭଳି ମଧୁଚନ୍ଦ୍ରିକା ଚାଲିଛି । ଅଧିକ୍ଷଣ ଯନ୍ତ୍ରୀ ଆହୁରି କହିଛନ୍ତି ଏହି କାମ ଗୁଡିକ ଇ ଭାଲୁଏସନ୍ ଅନୁଯାଇ ଫଟୋ ଉଠାଇ କାମର ତଦାରଖ କରାଯାଉଛି ।ଏହି କାମରେ ନିୟୋଜିତ ଥିବା ଜେଇଙ୍କୁ ନିର୍ଦ୍ଦେଶ ଦିଆଯିବ । ଏହା ପରେ କଣ୍ଟ୍ରାକ୍ଟରକୁ ନୋଟିସ୍ କରାଯିବ । ସେ ଯଦି କାମ ନକରିବେ ତାହାହେଲେ କଣ୍ଟ୍ରାକ୍ଟର ଠାରୁ ରିକଭରି କରାଯିବ ।’’ ତେବେ ଦେଖିବାକୁ ବାକି ରହିଲା ବିଭାଗୀୟ ଅଧିକାରୀ ନିମ୍ନମାନର କାମ କରୁଥିବା କଣ୍ଟ୍ରାକ୍ଟରଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
ଇଟିଭିି ଭାରତ, ମାଲକାନଗିିରି