ମାଲକାନଗିରି: ପୁଣି ସରକାରଙ୍କ ଅବ୍ୟବସ୍ଥାର ପୁନରାବୃତ୍ତି । ଖଟିଆରେ 3 କିମି ବୁହା ହେଲେ ରୋଗୀ । ରାସ୍ତା ନଥିବାରୁ ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ । ଘଟଣାଟି ତଥାକଥିତ ସେହି ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସଦର ବ୍ଲକ ପେଣ୍ଡାଲ ଗୁଡା ଗାଁର ।
ଏହି ଗାଁର ଭିମା ମାଡି ଗତି କିଛି ଦିନ ଧରି ଅସୁସ୍ଥ ଥିଲେ । ଗତକାଲି ତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ । କିନ୍ତୁ ରାସ୍ତା ନଥିବାରୁ ଆସିପାରିଲା ନାହିଁ ଗାଡି । ଆଉ ଗାଁଠୁ 3 କିମି ଦୂରରେ ଅଟକି ରହିଲା । ଆମ୍ବୁଲାନ୍ସ କର୍ମଚାରୀ ଓ ଗ୍ରାମବାସୀଙ୍କ ସହାୟତାରେ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଆଣାଯାଇଥିଲା । ବର୍ତ୍ତମାନ ଗୁରୁତର ଅବସ୍ଥାରେ ମାଲକାନଗିରିରେ ଚିକିତ୍ସିତ ହେଉଛନ୍ତି ।