ଓଡିଶା

odisha

ETV Bharat / state

ମଣିଷ ଖିଆ ଚନ୍ଦାହାଣ୍ଡି ଘାଟି ! ଘଟୁଛି ଦୁର୍ଘଟଣା, ଯାଉଛି ଜୀବନ

Accident Prone Chandahandhi Ghat: ମଣିଷ ଖିଆ ଘାଟି ସାଜିଛି ମାଲକାନଗିରିର ଚନ୍ଦାହାଣ୍ଡି ଘାଟି । ଗତ 5 ବର୍ଷ ମଧ୍ୟରେ ଏହି ଘାଟି ରାସ୍ତାରେ ଦୁର୍ଘଟଣା ଘଟି ପାଖାପାଖି 36 ଜଣଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ

Chandahandhi ghat
ମଣିଷ ଖିଆ ଘାଟି ଚନ୍ଦାହାଣ୍ଡି ଘାଟି !

By ETV Bharat Odisha Team

Published : Jan 1, 2024, 10:52 AM IST

ମଣିଷ ଖିଆ ଘାଟି ଚନ୍ଦାହାଣ୍ଡି ଘାଟି !

ନବରଙ୍ଗପୁର:ମରଣ ଘାଟି ସାଜିଛି ମାଲକାନଗିରି ଜିଲ୍ଲାର ଚନ୍ଦାହାଣ୍ଡି ଘାଟି । ଜିଲ୍ଲାର ଝରିଗାଁ ବ୍ଳକ ସଦର ଠାରୁ 12 କିଲୋମିଟର ଦୂରରେ ଅବସ୍ଥିତ ଚନ୍ଦାହାଣ୍ଡି ଘାଟି । ପଡୋଶୀ ଛତିଶଗଡର ନିକଟବର୍ତ୍ତୀ ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ସରକାରୀ ତଥ୍ୟ ଆଧାରରେ ଏହି ଘାଟିରେ ଦୁର୍ଘଟଣା ଘଟି ଗତ 5 ବର୍ଷ ମଧ୍ୟରେ ପାଖାପାଖି 36 ଜଣକ ଜୀବନ ଗଲାଣି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ସଦର ଠାରୁ ମାତ୍ର 12 କିଲୋମିଟର ଗଲା ପରେ ପଡିଥାଏ ଏହି ଝରିଗାଁ - ଚନ୍ଦାହାଣ୍ଡି ଘାଟି । ଏହି ଘାଟି ଅତିକ୍ରମ କରି 23କିଲୋମିଟର ଗଲା ପରେ ପଡିଥାଏ ଜିଲ୍ଲାର ଶେଷରେ ଅବସ୍ଥିତ ଚନ୍ଦାହାଣ୍ଡି ବ୍ଲକ । ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ପଡ଼ୋଶୀ ଜିଲ୍ଲା କଳାହାଣ୍ଡିକୁ ଯିବାକୁ ହେଲେ ଏହି ଚନ୍ଦାହାଣ୍ଡି ବ୍ଲକ ଅତିକ୍ରମ କରିବାକୁ ପଡ଼ିଥାଏ । ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଗାଡ଼ି ମଟର ଚଳାଚଳ କରିଥାଏ ।

ମଣିଷ ଖିଆ ଚନ୍ଦାହାଣ୍ଡି ଘାଟି:ତେବେ ଅଣଓସାରିଆ ଘାଟି ରାସ୍ତା ଜନସାଧାରଣଙ୍କ ପାଇଁ ମରଣଯନ୍ତା ପାଲଟିଛି । ଘାଟି ରାସ୍ତାର ବୁଲାଣି କିମ୍ବା ଦୁର୍ଘଟଣାସ୍ଥଳ ନିକଟରେ କୌଣସି ସୂଚନା ଫଳକ ନାହିଁ । ଯାହାକି ଗାଡି ଚାଳକଙ୍କ ପାଇଁ ଅନେକ ସମୟରେ ବିପଦ ଆଣିଦେଉଛି । ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ମଧ୍ୟ ନଜିର ରହିଛି ।2015ମସିହା ଦଶହରା ସମୟରେ ଡାବୁଗାଁ ବ୍ଲକର ଏକ ଆଦିବାସୀ ନାଟକ ଗାଡି ଚନ୍ଦାହାଣ୍ଡିକୁ ଯାଉଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଘାଟି ତଳକୁ ଖସି ପଡ଼ିଥିଲା । ଯେଉଁଥିରେ 11 ଜଣଙ୍କ ମତ୍ୟୁ ଘଟିଥିଲା । 2018 ନଭେମ୍ବର 11 ତାରିଖରେ ଉମରକୋଟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ଚନ୍ଦାହାଣ୍ଡି ଅରବିନ୍ଦ ପାଠଚକ୍ର ସମ୍ମିଳନୀକୁ ବସରେ ଛାତ୍ରୀଛାତ୍ରଙ୍କ ସହ ଶିକ୍ଷକ ଓ ସ୍କୁଲର କର୍ମଚାରୀ ଯାଉଥିବା ବେଳେ ଘାଟିରେ ଦୁର୍ଘଟଣା ଘଟି ଏଥିରେ 4 ଜଣଙ୍କ ମୃତ୍ୟୁ ଘଟିଥିଲା । ଏମିତି କି 2023ରେ ମଧ୍ୟ ଏକ ସ୍କୁଲ ବସ୍‌ ଦୁର୍ଘଟଣା ଘଟି ଜଣେ ଖେଳ ଶିକ୍ଷକଙ୍କ ମୃତ୍ୟୁ ହେଇଥିବା ବେଳେ 40ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ.. ତାରିଣୀ ଦର୍ଶନ ସାରି ଫେରୁଥିବା ବାଟରେ କାର୍ ଦୁର୍ଘଟଣା, ଜଣେ ମୃତ

ତେବେ ଏହି ଘାଟିରେ ଅନେକ ଥର ଦୁର୍ଘଟଣା ଘଟି ଛାତି ଥରାଇଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରତିବର୍ଷ ଦୁର୍ଘଟଣା କାରଣରୁ ୧୦ରୁ ଅଧିକ ଜୀବନ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତଙ୍କୁ ପଙ୍ଗୁ ମଧ୍ୟ ସଜାଇଛି । ବର୍ତ୍ତମାନ ଲୋକେ ଏହି ଝରିଗାଁ -ଚନ୍ଦାହାଣ୍ଡି ଘାଟିକୁ ମଣିଷ ଖିଆ ଘାଟି ନାମରେ ନାମିତ କଲେଣି । ସରକାରୀ ତଥ୍ୟ ଆଧାରରେ ଏହି ଘାଟି ରାସ୍ତାରେ ୫ ବର୍ଷ ଭିତରେ ୩୬ ଜଣଙ୍କ ଜୀବନ ଯାଇଛି ।

ତେବେ ବାରମ୍ବାର ଏହି ଘାଟି ରାସ୍ତାରେ ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠିଛି । ଆଉ କେତେ ଜୀବନ ଗଲା ପରେ ପ୍ରଶାସନ ଏହି ଘାଟି ରାସ୍ତାର ସୁଧାର କରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏମିତି ଏହି ଘାଟିରେ ଅନେକ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏହାର ଆଖପାଖ ଅଞ୍ଚଳରେ କୌଣସି ମୋବାଇଲ ନେଟୱର୍କ କିମ୍ବା ପ୍ରାଥମିକ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା ନଥିବା ହେତୁ ଅନେକ ସମସ୍ୟା ଉପୁଜୁଛି ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।

ଅନ୍ୟପଟେ ଏସମ୍ପର୍କରେ ଜିଲ୍ଲା ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ମିଶ୍ରଙ୍କୁ ପଚାରିବାରୁ ସେ ଘାଟି ରାସ୍ତାଟି ଅତି ତିକ୍ଷ୍ଣ ରହିଥିବା କହିବା ସହ ଆଗକୁ ଘାଟି ରାସ୍ତାର ପରିବର୍ତ୍ତନ କରି ସୁଧାର ଆଣିବାକୁ ପ୍ରୟାସ କରାଯାଉଥିବା କଥା କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details