ଓଡିଶା

odisha

ETV Bharat / state

ରାଗରୁଷା ଦୂର କରେ ରକ୍ତାକ୍ତ ସଙ୍ଘର୍ଷ: ମାଡ ମାରନ୍ତି, ମଲମ ଲଗାନ୍ତି - ଆଦିମ ଜନଜାତି ବଣ୍ଡାଙ୍କ ପର୍ବ ଝାଟି ମରା

ବଣ୍ଡା ଘାଟିରେ ରକ୍ତର ଖେଳ । ପୁରୁଷ ପୁରୁଷଙ୍କ ମଧ୍ୟରେ ଚାଲିଛି ମାରପିଟ । ଜଣେ ଆଉ ଜଣଙ୍କ ପିଠିରେ ଚାବୁକ ମାରି କରୁଛନ୍ତି ରକ୍ତାକ୍ତ। ଆଉ ଏଥିଲାଗି ଉତ୍ସବ ମୁଖରିତ ବଣ୍ଡା ପାହାଡ଼ । ରାଗ ରୁଷା ଦୁର କରିବା ଲାଗି ଆଦିବାସୀଙ୍କ ରକ୍ତାକ୍ତ ସଂଘର୍ଷ । ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

ବଣ୍ଡା ଘାଟିରେ ରାଗରୁଶା କାଟେ ରକ୍ତାକ୍ତ ସଙ୍ଘର୍ଷ
ବଣ୍ଡା ଘାଟିରେ ରାଗରୁଶା କାଟେ ରକ୍ତାକ୍ତ ସଙ୍ଘର୍ଷ

By

Published : Jan 25, 2020, 12:05 AM IST

ମାଲକାନଗିରି: ନିଆରା ରୀତି-ନୀତି, ଜନଜାତିଙ୍କ ଭିନ୍ନ ଏକ ପ୍ରଥା । ଘଞ୍ଚ ଜଙ୍ଗଲ ପାହାଡ ଭିତରେ ପ୍ରାଚୀନ ପରମ୍ପରାକୁ ଉଦଜୀବିତ କରି ରଖିଛନ୍ତି ଆଦିମ ଜନଜାତି । ଏ ହେଉଛି ବଣ୍ଡା ଘାଟିରେ ରକ୍ତର ସଂଘର୍ଷପୂର୍ଣ୍ଣ ଖେଳ । ପୁରୁଷ ପୁରୁଷଙ୍କ ମଧ୍ୟରେ ଚାଲିଛି ମାରପିଟ। ଜଣେ ଆଉ ଜଣଙ୍କ ପିଠିରେ ଚାବୁକ ପ୍ରହାର କରି ମନାଉଛନ୍ତି ଖୁସି । ଏଥିଲାଗି ଉତ୍ସବ ମୁଖରିତ ମାଲକାନଗିରିର ବଣ୍ଡା ପାହାଡ଼ । ଏହି ପର୍ବ ଦେଖିଣାହାରୀଙ୍କୁ ବିଚଳିତ କରି ପାରେ ମାତ୍ର ରକ୍ତ ବୋହିବା ଯାଏଁ ପରସ୍ପରକୁ ଆଘାତ ଦେଇ ଖେଳାଯାଏ ଏହି ଖେଳ । ଆଉ ଖେଳ ସରିଯିବା ପରେ ନାଚ ଗୀତରେ ମସଗୁଲ ହୁଅନ୍ତି ଆଦିମ ଜନଜାତି ।

ବଣ୍ଡା ଘାଟିରେ ରାଗରୁଶା କାଟେ ରକ୍ତାକ୍ତ ସଙ୍ଘର୍ଷ


ମାଲକାନଗିରି ଜିଲ୍ଲାରେ ବାସ କରୁଥିବା ଆଦିମ ଜନଜାତି ବଣ୍ଡାଙ୍କ ଏକ ନିଆରା ପର୍ବ ‘ଝାଟି ମରା’ ବା ପୁଷ ପର୍ବ । ବଣ୍ଡା ଜନଜାତିଙ୍କ ପାରମ୍ପାରିକ ଫସଲ ଶୁଆଁ, ବିରି ଓ ମାଣ୍ଡିଆ ଅମଳ ହେବା ପରେ ଲୋକେ ଏହି ଝାଟି ପର୍ବ ପାଳନ କରିଥାନ୍ତି । ପୂର୍ବ ଶୁତ୍ରୁତାକୁ ଭୁଲିବା ଲାଗି ଲୋକେ ନିଜ ନିଜ ଭିତରେ ଏପରି ପିଟାପିଟା ହୁଅନ୍ତି ।

କେଉଁ ଆଦିମ କାଳରୁ ବଣ୍ଡା ଜନଜାତି ସମାଜରେ ଚାଲି ଆସୁଛି ଏହି ପରମ୍ପରା । ଝାଟି ପରବ ଦିନ ନୁଆ ଖାଇବାର ରହିଛି ପରମ୍ପରା । ବଣ୍ଡାଙ୍କ ଲାଗି ଗାଁର ପୁଜାରୀ ହେଉଛନ୍ତି ବିଚାରକ । ପୁଜାରୀଙ୍କ ଆଦେଶରେ ଝାଟି ପର୍ବର ତାରିଖ ନିର୍ଦ୍ଧାରଣ ହୁଏ । ଯୁବକମାନେ ସଲପ ଗଛର ଡାଳରେ ଚାବୁକ ସଦୃଶ୍ୟ ଛାଟି ତିଆରି କରିବା ପରେ ଗାଁ ଦାଣ୍ଡରେ ଚାଲେ ରକ୍ତାକ୍ତ ସଂର୍ଘଷର ଆସର । ପରସ୍ପରକୁ ମାଡ ମାରି ରକ୍ତାକ୍ତ କଲା ପରେ ଆଲିଙ୍ଗନ କରି ପୂର୍ବ ଶ୍ରତୁତାକୁ ଦୂର କରିଥାନ୍ତି ଏହି ବଣ୍ଡା ଆଦିବାସୀ ।

ଆଉ ବଣ୍ଡା ମହିଳା ମାନେ ଏହି ପର୍ବ ପାଇଁ ପୁରୁଷମାନଙ୍କୁ କରିଥାନ୍ତି ପ୍ରସ୍ତୁତ । ଲଢେଇ ଜୋର ଧରିବା ସମୟରେ ମହିଳାମାନେ ଦୁଇ ପୁରୁଷଙ୍କ ମଧ୍ୟରେ ପ୍ରତିବନ୍ଧକ ସାଜି ଆଘାତ ସ୍ଥାନରେ ହଳଦି ଲେପ ଲଗାଇ ଭାଇଚାରାର ବାର୍ତ୍ତା ଦିଅନ୍ତି । ଶତ୍ରୁତାର ସମାଧାନ କରିବା ଲାଗି ବଣ୍ଡାମାନେ ପାଳନ୍ତି ଏହି ଝାଟି ପର୍ବ । ବର୍ଷକୁ ଥରେ ନିଜକୁ ଶାରୀରିକ ଦଣ୍ଡ ଦେଇ ରାଗ ରୁଷା ଭୁଲି ଯାଆନ୍ତି ଏମାନେ । ଆଧୁନିକତାର ସ୍ପର୍ଶ ଭିତରେ ବଣ୍ଡା ଘାଟିରେ ଆଜି ବି ଏହି ପରମ୍ପରା ଜୀବନ୍ତ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details