ଖତଗଦାରୁ ଉଦ୍ଧାର ହେଲା କନ୍ୟାରତ୍ନ ମାଲକାନଗିରି: ସଭ୍ୟ ଶିକ୍ଷିତ ସମାଜର ବର୍ବରକାଣ୍ଡ । ଖତଗଦାରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା । ମଣିଷ ଇଣ୍ଟରନେଟ ଯୁଗରେ ପାଦ ଥାପିଥିବା ବେଳେ ପୁଅଝିଅରେ ଏବେ ବି ଫରକ ଦେଖୁଛନ୍ତି ଲୋକେ । ଶିଶୁ କନ୍ୟାକୁ ଅଲୋଡ଼ା କରିଦେଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ । ଅଲୋଡ଼ା ହୋଇଛି ଏକ ନବଜାତ ଶିଶୁ କନ୍ୟା । ଜରିବସ୍ତା ମଧ୍ୟରେ ନବଜାତ ଶିଶୁ କନ୍ୟାକୁ ଖତ ଗଦାରୁ ଉଦ୍ଧାର କରିଛି ମାଲକାନଗିରି ଥାନା ପୋଲିସ ।
ସୂଚନା ଅନୁଯାୟୀ, ଆଜି ଭୋର ୪ଟା ବେଳେ ମାଲକାନଗିରି ଜିଲ୍ଲା ସଦର ମହକୁମା ତଳସାହିଠାରେ ଅଳିଆ ଆବର୍ଜନା ପରିପୂର୍ଣ୍ଣ ଏକ ଖତ ଗଦାରୁ ଗୋଟିଏ ଛୋଟ କାନ୍ଦିବା ଶବ୍ଦ ଶୁଭିଥିଲା । ତଳସାହିର କିଛି ପରିବାରର ଲୋକେ ଶିଶୁକନ୍ୟାଟିର କାନ୍ଦ ଶୁଣି ଅଶ୍ଚର୍ଯ୍ୟ ହୋଇଯାଇଥିଲେ । ଶବ୍ଦ ଆସୁଥିବା ସ୍ଥାନକୁ ଯିବାପରେ ଅଳିଆ ଗଦା ମଧ୍ଯରେ ଥିବା ଏକ ଜରିବସ୍ତା ମଧ୍ୟରୁ ଏହି କାନ୍ଦ ଶୁଣାଯାଉଥିବା ଦେଖିବାକୁ ପାଇଥିଲେ । ପରେ ଜରିବସ୍ତା କୁ ଭଲ ଭାବେ ନିରୀକ୍ଷଣ କରିବାରୁ ନବଜାତ ଶିଶୁକନ୍ୟା ଦେଖିବାକୁ ପାଇଥିଲେ ।
ଏହାଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଜିଲ୍ଲା ଚାଇଲ୍ଡ ଲାଇନ ଓ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣା ସ୍ଥଳରେ ମାଲକାନଗିରି ଥାନା ପୁଲିସ ପହଞ୍ଚି ଅଳିଆ ଆବର୍ଜନା ଗଦାରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରିଥିଲା । ପରେ ଶିଶୁର ସ୍ବାସ୍ଥ୍ଯବସ୍ଥା ପରୀକ୍ଷା କରିବ ନିମନ୍ତେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରେ ଚାଇଲ୍ଡ ଲାଇନ କର୍ମକର୍ତ୍ତାମାନେ ପହଞ୍ଚି ଶିଶୁକନ୍ୟାକୁ ନିଜ ହେପାଜତକୁ ନେଇ ଶିଶୁକନ୍ୟାଟିକୁ ହସ୍ପିଟାଲର ନବଜାତ ଶିଶୁ ଗୃହରେ ରଖିଛନ୍ତି । ଡାକ୍ତରଙ୍କ ସୂଚନା ମୁତାବିକ ଉଦ୍ଧାର ଶିଶୁଟି ବର୍ତ୍ତମାନ ସୁସ୍ଥ ଅଛି । ଶିଶୁକନ୍ୟା ଟି ମାତ୍ର 24 ଘଣ୍ଟାର । ମାଲକାନଗିରି ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ଗତକାଲି କୌଣସି ଶିଶୁ କନ୍ୟା ଜନ୍ମ ହୋଇନାହିଁ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ କହିଛନ୍ତି, ଆଜି ଭୋରରୁ ଏକ ନବଜାତ ଶିଶୁ କନ୍ୟାକୁ ପୋଲିସ ଉଦ୍ଧାର କରିଛି । ସେହି ଶିଶୁଟିକୁ ଜିଲ୍ଲା ହସ୍ପିଟାଲର ଏସଏନ ସିୟୁସିରେ ରଖାଯାଇ ଚିକତ୍ସା କରାଯାଉଛି । ଶିଶୁ ଉଦ୍ଧାର ହୋଇଥିବା ତଳସହିକୁ ଶିଶୁ ସୁରକ୍ଷା ବିଭାଗର କର୍ମଚରୀ , ଚାଇଲ୍ଡ ଲାଇନ କର୍ମଚାରୀ ଯାଇ ଏହି ଶିଶୁ କାହାର ତଦନ୍ତ ଅରମ୍ଭ କରିଛନ୍ତି । କିପରି ଅଳିଆ ଗଦାରେ ପଡ଼ିଲା ସେ ସମ୍ପର୍କରେ ତଦନ୍ତ ଆରମ୍ଭ କରାଯାଇଛି ।
ଇଟିଭି ଭାରତ, ମାଲକାନଗିରି