ଓଡିଶା

odisha

ETV Bharat / state

ନବେ ବର୍ଷୀୟା ବୃଦ୍ଧାଙ୍କ ହାତରେ ନାତିର ପେଟ ପାଟଣା - ମାଲକାନଗିରି କୋରୁକୋଣ୍ଡା ବ୍ଲକ କୋଇଲିପାରି ଗ୍ରାମ

ପରିଣତ ବୟସରେ ପରିବାରର ବୋଝ । 90 ବର୍ଷ ବୟସରେ ସମ୍ଭାଳୁଛନ୍ତି ବାପା ମା’ ଛେଉଣ୍ଡ ନାତିର ଦାୟିତ୍ବ । ଏ ହେଉଛି ମାଲକାନଗିରି କୋରୁକୋଣ୍ଡା ବ୍ଲକ କୋଇଲିପାରି ଗ୍ରାମର 90 ବର୍ଷିୟା ବୃଦ୍ଧା କମଳା ମୁଦୁଲିଙ୍କ କରୁଣ କାହାଣୀ । ଅଧିକ ପଢନ୍ତୁ...

ନବେ ବର୍ଷିୟା କମଳାଙ୍କ ହାତରେ ଡମ୍ବରୁର ଭାଗ୍ୟ
ନବେ ବର୍ଷିୟା କମଳାଙ୍କ ହାତରେ ଡମ୍ବରୁର ଭାଗ୍ୟ

By

Published : Jan 6, 2021, 2:22 PM IST

Updated : Jan 6, 2021, 2:33 PM IST

ମାଲକାନାଗିରି: ପରିଣତ ବୟସରେ ପରିବାରର ବୋଝ । ଦେଖୁଛନ୍ତି ଏହି ବୁଢୀ ମାଉସୀକୁ । ବୟସ 90 ହେବ । ଚମ ସବୁ ଧୁଡୁକି ଯାଇଥିବା ବେଳେ ହାତ ଗୋଡ ବି ଥରୁଛି । ଆଖିର ପରଳ ଓ କାନର ପରଦା ମଧ୍ୟ କାମ କରୁନି । ହେଲେ ଏ ସମୟରେ ମଧ୍ୟ ନଇଁ ଯାଇଥିବା ଅଣ୍ଟାରେ ସଳଖୁଛନ୍ତି ପରିବାର । ନେଉଛନ୍ତି ବାପା ମା’ ଛେଉଣ୍ଡ ନାତିର ଦାୟିତ୍ବ । ଚାଲିବାକୁ ଆଉ ବଳ ପାଉନି । କେହି ମୁଠାଏ ଖାଇବାକୁ ଦେଲେ ପେଟରେ ଦାନା ପଡେ, ନହେଲେ ଉପାସ । ଏ ହେଉଛି ମାଲକାନଗିରି କୋରୁକୋଣ୍ଡା ବ୍ଲକ କୋଇଲିପାରି ଗ୍ରାମର 90 ବର୍ଷିୟା ବୃଦ୍ଧା କମଳା ମୁଦୁଲିଙ୍କ କରୁଣ କାହାଣୀ ।

ନବେ ବର୍ଷିୟ କମଳାଙ୍କ ହାତରେ ଡମ୍ବରୁର ଭାଗ୍ୟ

ଝିଅ ଜ୍ବାଇଁଙ୍କ ମୃତ୍ୟୁ ପରେ ଏବେ ଅସହାୟ ହୋଇ ପଡ଼ିଛି ଏହି ପରିବାର । ନାତି ଡମ୍ବୁରୁ ମୁଦୁଲିକୁ ମାତ୍ର 14 ବର୍ଷ । ୫ବର୍ଷ ପୂର୍ବେ ରୋଗାଗ୍ରସ୍ତ ହୋଇ ଜ୍ବାଇଁ ଚାଲିଗଲେ । ଆଉ ଜ୍ବାଇଁଙ୍କ ମୃତ୍ୟୁ ପରେ ମୂଲ ଲାଗି ପରିବାର ଚଲାଉଥିଲେ ଝିଅ ଗୋମୋତି ମୁଦୁଲି । କିନ୍ତୁ ଭାଗ୍ୟର ବିଡମ୍ବନା ଥିଲା କିଛି ଅଲଗା । ଜ୍ବାଇଁ ପରେ ଝିଅ ମଧ୍ୟ ଚାଲିଗଲା ଆରପାରିକୁ । ପ୍ରଥମେ ଜ୍ବାଇଁ ଓ ପରେ ଝିଅକୁ ହରାଇବା ପରେ ଏବେ ୯୦ ବର୍ଷୀୟା ବୃଦ୍ଧାଙ୍କ ମୁଣ୍ଡରେ ନାତିର ଦାୟିତ୍ବ । ସରକାରୀ ସହାୟତା କହିଲେ ବାର୍ଦ୍ଧକ୍ୟ ଭତ୍ତା ଓ ରାଶନ ଚାଉଳ । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଏମାନଙ୍କୁ ମିଳିନି ଆବାସ ଯୋଜନାରେ ଖଣ୍ଡିଏ ବାସଗୃହ । ପରିବାରର ଆୟ କହିଲେ ବୃଦ୍ଧାଙ୍କୁ ମିଳୁଥିବା ୫୦୦ ଟଙ୍କା ଭତ୍ତା ।

ଚଳିତ ବର୍ଷ ଡ଼ମ୍ବରୁ ନବମ ଶ୍ରେଣୀରେ ପଢିଥାନ୍ତା । କିନ୍ତୁ ଅର୍ଥ ଅଭାବରୁ ନାତିର ପାଠପଢାରେ ମଧ୍ୟ ବନ୍ଧା ହେଲାଣି ଡୋରି । ଅନ୍ୟପଟେ ମଜୁରୀ କରି ଘର ଚଳାଇବା ପାଇଁ କାମକୁ ଗଲେ ନାବାଳକ ବୋଲି ଫେରାଇ ଦେଉଛନ୍ତି ଡମ୍ବୁରୁକୁ । ବର୍ତମାନ ଅନଲାଇନରେ ପାଠ ପଢ଼ାଯାଉଥିବା ବେଳେ ଡମ୍ବରୁ ପାଖରେ ମୋବାଇଲ ଖଣ୍ଡେ ବି ନାହିଁ। ପେଟ ପାଇଁ ଦାନା ଯୋଗାଡ଼ କରୁଥିବା ବେଳେ ମୋବାଇଲ କିଣିବା ସାତସପନ।ଗରିବ ଅସହାୟଙ୍କ ପାଇଁ ଥିବା ସରକାରୀ ଯୋଜନାରୁ ବଞ୍ଚିତ କମଳାଙ୍କ ପାଇଁ ତାହା ସାତସପନ । ତେବେ ଡମ୍ବୁରୁର ଉଚ୍ଚ ଶିକ୍ଷା ଓ ବୃଦ୍ଧାଙ୍କ ଥଇଥାନ ନିମନ୍ତେ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

ମାଲକାନାଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jan 6, 2021, 2:33 PM IST

ABOUT THE AUTHOR

...view details