ମାଲକାନଗିରି:କାଲିମେଳା ଥାନା ଅନ୍ତର୍ଗତ ପୋତାଖାଲ କଲୋନି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ସହ କାର୍ ଧକ୍କା ହେବା ଫଳରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ବାଇକ୍ ଆରୋହୀ ହେଲେ ଗଙ୍ଗା କବାସୀ ଓ ଲଚ୍ଛା ମାଢି ବୋଲି ଜଣା ପଡିଛି ।
ତେବେ ସୂଚନା ଅନୁସାରେ ଗଙ୍ଗା ଓ ଲଚ୍ଛା ନିଜ ସମ୍ପର୍କୀୟ ଘରୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଗାଡି ନମ୍ବର CG 04 LL1341 ହୋଣ୍ଡା ବ୍ରିଓ କାରଟି ଦ୍ରୁତ ଗତିରେ କାଲିମେଳା ଆଡୁ ମାଲକାନଗିରି ଅଭିମୁଖେ ଯାଉଥିଲା । ସେହିଭଳି ହିରୋ ସିଡି ଡିଲକ୍ସ ବାଇକ ନମ୍ବର OD30C9507 ବାଇକଟି ମାଲକାନଗିରିରୁ କାଲିମେଳା ଆଡେ ଯାଉଥିଲା । ସେହି ସମୟରେ ଧକ୍କା ଏତେ ଜୋରରେ ହୋଇଥିଲା ଯେ ବାଇକଟି କାରର ଇଂଜିନ ଭିତରେ ପଶି ଯାଇଥିଲା । ବାଇକରେ ଥିବା ଦୁଇଜଣ ଛିଟିକି ପଡିଥିଲେ । ଏନେଇ ଘଟଣାସ୍ଥଳରେ ହିଁ ୨ ଜଣ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଦୁର୍ଘଟଣା ପରେ କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ମୃତକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।