ମାଲକାନଗିରି:ଜିଲ୍ଲାର ସଦର ବ୍ଲକ ଚମ୍ପାନଗର ସ୍ଥିତ ଏକଲବ୍ୟ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ । ଛାତ୍ରୀ ଜଣକ ଗର୍ଭବତୀ ହେବା ପରେ ତାର ପିତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଏକ କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ । ଏହାପରେ ଚାଇଲ୍ଡ ଲାଇନ୍ ସହାୟତାରେ ନାବାଳିକା ଛାତ୍ରୀ ଜଣକ ମାଲକାନଗିରି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତକୁ ଧରି କୋର୍ଟ ଚାଲାଣ କରିଛି ପୋଲିସ ।
ଗର୍ଭବତୀ ଛାତ୍ରୀଙ୍କ ଘର ସାଉଁଳିଗୁଡ଼ା ବୋଲି ଜଣାପଡ଼ିଛି । ତେବେ ପରିବାର ଲୋକଙ୍କ କହିବାନୁସାରେ ଗତ ଜୁଲାଇ ୧୨ ତାରିଖରେ ଏକଲବ୍ୟ ସ୍କୁଲ କର୍ତ୍ତୃପକ୍ଷ ବୋଲେରୋ ଯୋଗେଁ ଛାତ୍ରୀଙ୍କ ଘରେ ପହଞ୍ଚି ତାଙ୍କ ଝିଅ ଅସୁସ୍ଥ ଥିବା କହିଥିଲେ । ଏହାପରେ ଛାତ୍ରୀଙ୍କ ପିତାଙ୍କୁ ସାଙ୍ଗରେ ନେଇ ସ୍କୁଲରେ ପହଞ୍ଚିବା ପରେ ଝିଅ ଗର୍ଭବତୀ ଥିବା ସହ ଜଣେ ପିଲା ସହ ତାର ଶାରୀରିକ ସମ୍ପର୍କ ଥିବା କହିଥିଲେ । ଛାତ୍ରୀଙ୍କ ବାପାଙ୍କୁ ସ୍କୁଲର କିଛି ଶିକ୍ଷକ ଓ ବିଦ୍ୟାଳୟ କର୍ମଚାରୀ ଧମକ ଚମକ ଦେବା ସହ ଏକ କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ ।
ଏହାପରେ ପୁଣି ଜୁଲାଇ ୧୩ ତାରିଖ ଦିନ ପରିବାର ଲୋକଙ୍କୁ ଡ଼ାକି ପୂର୍ବରୁ ଲେଖାଯାଇଥିବା କାଗଜରେ ଦସ୍ତଖତ କରି ଛାତ୍ରୀଜଣକୁ ତାଙ୍କ ଘରକୁ ପଠାଇ ଦେଇଥିଲେ । ଗାଁରେ ପହଁଞ୍ଚିବା ପରେ ଗାଁର ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ପରେ ୩୦ ତାରିଖରେ ଚାଇଲ୍ଡ ଲାଇନ୍ ସହାୟତାରେ ନାବାଳିକା ଛାତ୍ରୀଜଣକ ମାଲକାନଗିରି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।