କୋରାପୁଟ: ମହୁମାଛି । ପୃଥିବୀର ଏକ ସର୍ବୋକୃଷ୍ଟ ଜୀବ । ପ୍ରାକୃତିକ ପରିବେଶରେ ରହି, ଫୁଲରୁ ମହୁ ସଂଗ୍ରହ କରି ବସାରେ ସାଇତିକି ରଖିଥାନ୍ତି ଏମାନେ । ହେଲେ ଏବେ ବୈଜ୍ଞାନିକ ପଦ୍ଧତିରେ, ବାକ୍ସରେ ମହୁମାଛି ରଖି, ଚାଷ କରୁଛନ୍ତି ମହୁଚାଷୀ ।
କୋରାପୁଟରେ ପ୍ରତିବର୍ଷ 4-5 ଟନ ମହୁ ଉତ୍ପାଦନ ହୁଏ । ତେବେ ବୈଜ୍ଞାନିକ ଜ୍ଞାନ କୌଶଳ ପ୍ରୟୋଗ କଲେ ଏହି ଅଞ୍ଚଳରେ ଏହାର ଦଶ ଗୁଣରୁ ଅଧିକ ଉତ୍ପାଦନ ହୋଇପାରିବ ବୋଲି କୁହାଯାଉଛି । ଯାହାକୁ କରି ଦେଖାଉଛନ୍ତି ଜିଲ୍ଲାର ଅଗ୍ରଣୀ ମହୁ ଚାଷୀ ନିତାଇ ଚରଣ ଦଳେଇ । କୋରାପୁଟ ଜିଲ୍ଲାରେ ଥିବା ଉନ୍ନତ ମାନର ଜୈବ ବିବିଧତା ବର୍ଷ ତମାମ ବିଭିନ୍ନ ଫୁଲ ଯୋଗାଇ ଦେଇଥାଏ । ତେଣୁ ମହୁ ଚାଷ ଲୋକଙ୍କ ପାଇଁ ଜୀବନ ଜୀବିକା ପୋଷଣ କରିବା ପାଇଁ ଏକ ସୁନ୍ଦର ସୁଯୋଗ ଆଣିଦେଇଛି ବୋଲି ସେ ମତ ରଖିଛନ୍ତି ।
ବର୍ତ୍ତମାନ କୋରାପୁଟ ଜିଲ୍ଲାରେ 450 ରୁ ଉର୍ଦ୍ଧ୍ବ ସାଧାରଣ ଚାଷୀ ଦେଶୀ ମହୁମାଛି ପାଳି ମହୁଚାଷ କରୁଥିବା ବେଳେ ନିତାଇ ଚରଣ ବିଦେଶୀ ମହୁମାଛିଙ୍କ ମାଧ୍ୟମରେ ଉନ୍ନତ ମାନର ମହୁଚାଷ କରିବାରେ ସକ୍ଷମ ହୋଇଛନ୍ତି। ବର୍ଷର ବିଭିନ୍ନ ଋତୁକୁ ଆଖିରେ ରଖି ଫୁଟୁଥିବା ଫୁଲର କ୍ଷେତ ନିକଟକୁ ନିତାଇ ନିଜର ସମସ୍ତ ମହୁବାକ୍ସ ଗୁଡିକୁ ନେଇ ମହୁ ସଂଗ୍ରହ କରିପାରୁଛନ୍ତି ।