କୋରାପୁଟ : ଜିଲ୍ଲାରେ 2020-21 ଆର୍ଥିକ ବର୍ଷରେ 2494 ଜଣ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଥିବା କୋରାପୁଟ ଜିଲ୍ଲା ଚିକିତ୍ସାଧିକାରୀ ମକରନ୍ଦ ବେଉରା ଜଣାଇଛନ୍ତି । ରାଜ୍ୟ ଦେଇଥିବା ଲକ୍ଷ୍ୟ ତୁଳନାରେ ଏହା 80% ଉପଲବ୍ଧ ଓ ଏହା ଏକ ସ୍ବାଗତଯୋଗ୍ୟ ସ୍ଥିତି ବୋଲି ସେ ମତ ରଖିଛନ୍ତି ।
ରୋଗୀଙ୍କୁ ଉନ୍ନତ ମାନର ଚିକିତ୍ସା ଓ ତା ପରେ ଔଷଧ ସେବନ ଉପରେ ଜୋର ଦେବା ଭଳି ସେବାକୁ ସ୍ୱାସ୍ଥ୍ୟକର୍ମୀମାନେ ଯୋଗାଇ ଆସୁଥିବାବେଳେ ରୋଗୀମାନଙ୍କ ମଧ୍ୟରେ କୋର୍ସର ସମୁଦାୟ ଔଷଧ ସେବନ କରିବାର ଆବଶ୍ୟକତା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଲେ ଦେଶକୁ 2025 ସୁଦ୍ଧା ଯକ୍ଷ୍ମା ମୁକ୍ତ କରିବା ପାଇଁ ଜାତୀୟ ସ୍ତରରେ ରଖାଯାଇଥିବା ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।