କୋରାପୁଟ: ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ଏହି ଅବସରରେ କୋରାପୁଟ ଜିଲ୍ଲାରେ ଆୟୋଜିତ ହୋଇଯାଇଛି ସଚେତନାତର ଶୋଭାଯାତ୍ରା । ଶୋଭାଯାତ୍ରାରେ ପର୍ଯ୍ୟଟନ କ୍ଷେତ୍ରକୁ ସଫାସୁତୁରା ରଖିବା, ସେଗୁଡିକ ସମ୍ପର୍କରେ ସବିଶେଷ ତଥ୍ୟ ଉପଲବ୍ଧି କରିବା ଓ ପର୍ଯ୍ୟଟଙ୍କ ପାଇଁ ଆତିଥ୍ୟ ସେବା ଯୋଗାଇ ଦେବାର ଆବଶ୍ୟକତା ସମ୍ପର୍କରେ ଜନ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
କୋରାପୁଟରେ ଭରପୁର ଥିବା ପାହାଡ଼ ପର୍ବତ, ଝରଣା ଓ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ, ଆଦିବାସୀ ଜୀବନ ଶୈଳୀ, ଦେବୀ ଦେବତାଙ୍କ ପାରମ୍ପରିକ ପୀଠ, ଜୈନ ମୂର୍ତ୍ତିରାଜି ଏବଂ କୁନ୍ଦୁଲି ଓ ଅନକାଡେଲି ଭଳି ସ୍ଥାନରେ ବସୁଥିବା ପାରମ୍ପାରିକ ସାପ୍ତାହିକ ହାଟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି । ତେବେ କୋରାପୁଟର ଆଭ୍ୟନ୍ତରୀଣ ଅଞ୍ଚଳରେ ମାଓବାଦୀଙ୍କ ପ୍ରାଦୁର୍ଭାବକୁ ଆଖିରେ ରଖି କିଛି ବର୍ଷ ବିଦେଶୀ ପର୍ଯ୍ୟଟକଙ୍କୁ କେବଳ ଜିଲ୍ଲା ପ୍ରଶାସନ ଦ୍ବାରା ସୁରକ୍ଷିତ ଭାବେ ଚିହ୍ନଟ କରାଯାଇଥିବା ପର୍ଯ୍ୟଟନ ସ୍ଥଳୀକୁ ଯିବା ପାଇଁ ଅନୁମତି ପ୍ରଦାନ କରାଯାଉଥିଲା ।