ଓଡିଶା

odisha

ETV Bharat / state

ବିଶ୍ବ ଜନସଂଖ୍ୟା ଦିବସ, ସଚେତନ ହେଉଛନ୍ତି ଆଦିବାସୀ

ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ‘ଆମେ ଦୁଇ ଆମର ଦୁଇ’ ନାରା ଦ୍ବାରା ସରକାରଙ୍କ ପ୍ରୟାସ । ସମୟ ବଦଳିବା ସହ ଆଦିବାସୀ ଗାଁ ଗହଳିର ଲୋକେ ବି ହେଉଛନ୍ତି ସଚେତନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jul 11, 2019, 9:10 PM IST

କୋରାପୁଟ: ଦେଶରେ ହୁ ହୁ ହୋଇ ବଢୁଛି ଜନସଂଖ୍ୟା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନେଉଛନ୍ତି ଅନେକ ପଦକ୍ଷେପ । ଏ ଦିଗରେ କରାଯାଉଛି ଜନସଚେତନତା । ‘ଆମେ ଦୁଇ ଆମର ଦୁଇ’ ନାରା ଦେଇ ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ସରକାର କରୁଛନ୍ତି ପ୍ରୟାସ ।

ତେବେ ଆଜି(ଗୁରୁବାର) ବିଶ୍ବ ଜନସଂଖ୍ୟା ଦିବସରେ ଏହି ନାରାରେ ପ୍ରଭାବିତ ହୋଇ କୋରାପୁଟ ବ୍ଲକ ଅନ୍ତର୍ଗତ ଛାପର ଗାଁର ଲକ୍ଷ୍ମୀ ଜାନୀ ସ୍ଥାୟୀ ଜନ୍ମ ନିୟନ୍ତ୍ରଣ କରିବାର ଇଚ୍ଛା ପ୍ରକାଶ କରିଛନ୍ତି । ଦୁଇଟି ଛୁଆର ମା ହୋଇଥିବା ଲକ୍ଷ୍ମୀ, ଛୁଆଙ୍କୁ ଭଲ ଶିକ୍ଷା ପ୍ରଦାନ କରିବା, ଉତ୍ତମ ସ୍ୱାସ୍ଥ୍ୟ ଓ ଖାଦ୍ୟ ଯୋଗାଇଦେବା ପାଇଁ ଏପରି କରୁଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ତେବେ କିଛି ବର୍ଷ ପୂର୍ବେ ଆଦିବାସୀ ଗାଁ ଗହଳିରେ ଏକଥା ବୁଝାଇବା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କାଠିକର ପାଠ ଥିବାବେଳେ ଏବେ ସମୟ ବଦଳିବା ସହ ଲୋକମାନେ ସଚେତନ ହୋଇଥିବା ଜଣାପଡିଛି ।

ପରିବାର ନିୟନ୍ତ୍ରଣ ସମ୍ପର୍କରେ ବିଭିନ୍ନ ଯୁଗ ଉପଯୋଗୀ ବାର୍ତ୍ତା ଗାଁ ଗଣ୍ଡାରେ ପହଞ୍ଚିପାରୁଥିବା ଯୋଗୁଁ ଆଦିବାସୀ ପରିବାରରେ ଏହି ଅଭୂତପୂର୍ବ ସଚେତନତାର ବୃଦ୍ଧି ଘଟୁଛି ବୋଲି କୁହାଯାଉଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବର୍ଷତମାମ ଏ ସଂକ୍ରାନ୍ତରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସକାରାତ୍ମକ ପ୍ରଭାବ ଉପଲବ୍ଧ ହେଉଥିବା କୋରପୁଟ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଅରୁଣ ପାଢୀ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, କୋରାପୁଟ ଜିଲ୍ଲାରେ ୨୦୦୧ ଜନଗଣନା ଅନୁଯାୟୀ ଜନସଂଖ୍ୟା ପ୍ରାୟ ୧୧.୮୦ ଲକ୍ଷ ଥିବାବେଳେ ୨୦୧୧ ଜନଗଣନାବେଳକୁ ସେଥିରେ ୧୬.୮୬% ବୃଦ୍ଧି ହୋଇ ତାହା ୧୩.୮୦ ଲକ୍ଷରେ ପହଞ୍ଚିଥିଲା । ତେବେ ଆଦିବାସୀଙ୍କ ମଧ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ବଢୁଥିବା ସଚେତନତା ଯୋଗୁଁ ଆସନ୍ତା ୨୦୨୧ ରେ ହେବାକୁ ଥିବା ଜନ ଗଣନାରେ ଜନସଂଖ୍ୟା ବୃଦ୍ଧିର ହାର ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details