କୋରାପୁଟ: ବାଲ୍ୟ ବିବାହ ଓ ଶିଶୁ ନିର୍ଯ୍ୟାତନା ରୋକିବା ପାଇଁ କୋରାପୁଟ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରଠାରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଏହାକୁ ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଉପସ୍ଥିତ ରହି ଜିଲ୍ଲାରେ କିପରି ବାଲ୍ୟ ବିବାହକୁ ରୋକାଯାଇ ପାରିବ ସେ ସଂପର୍କରେ ତୃଣମୂଳ ସ୍ତରରୁ ସଚେତନ ହେବା ନେଇ ପରାମର୍ଶ ଦେଇଥିଲେ ।
ସେହିପରି CDMO ଡ. ଅରୁଣ କୁମାର ପାଢୀ, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ବାଲ୍ୟ ବିବାହରେ କୋରାପୁଟ ଜିଲ୍ଲା ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଥିବା ଯୋଗୁଁ ଆଶା, ଅଙ୍ଗନବାଡି ଓ ANM ମାନେ ପ୍ରତି ଗାଁରେ ଲୋକମାନଙ୍କୁ ସଚେତନ କରିବା ଉଚିତ୍ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ କହିଛନ୍ତି । ଜିଲ୍ଲାରେ ବାଲ୍ୟବିବାହ ରୋକିବା ପାଇଁ ପ୍ରତି ଗାଁରେ ଏକ କମିଟି ଗଠନ ହେବ ।