କୋରାପୁଟ :ଆନ୍ଧ୍ର ଓ ଓଡ଼ିଶା ସୀମା ବିବାଦ ମଧ୍ୟରେ ଛନ୍ଦି ହେଇପଡୁଛନ୍ତି ନିରୀହ କୋଟିଆବାସୀ । ଉଭୟର ସୀମା ବିବାଦ ତୁଟୁନଥିବା ବେଳେ ସରକାରୀ ସୁଖ ସ୍ବଚ୍ଛନ୍ଦରୁ ବଞ୍ଚିତ ରହୁଛନ୍ତି କୋଟିଆର ନିରୀହ ଗ୍ରାମବାସୀ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜକୁ ନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗିରହିଛି ବିବାଦ । ଏହି ବିବାଦ ମଧ୍ୟରେ ବଳି କୋଟିଆବାସୀ । ଏମିତି ଏକ ବିବାଦ ଦେଖିବାକୁ ମିଳିଛି ଯାହା ଫଳରେ ଏକାଠି ମେଳି ହୋଇଛନ୍ତି ୭ଟି ଗ୍ରାମର ଗ୍ରାମବାସୀ ।
ଗାଁର ଯୁବକ ଯୁବତୀଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ହାତରେ ମାରଣାସ୍ତ୍ର ଧରି ମାରିବାକୁ ଆଗେଇ ଆସିଛନ୍ତି । ମାଟି ଖନନ କରିବାକୁ ଦେବୁନାହିଁ ବୋଲି କହିବା ସହିତ ଏବେ ପ୍ରଶାସନିକ ଅଧିକାରୀମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଏତେ ଦିନ ଧରି ଖବର ଦେବା ସତ୍ତ୍ବେ ଗାଁକୁ ଆସୁନାହାନ୍ତି କି କୌଣସି ସମାଧାନ କରୁନାହାନ୍ତି ବୋଲି କହିବା ସହିତ,'କିଏ ଗ୍ରାମରେ ମେସିନ ପକାଇଛି ? କାହିଁକି ପକାଇଛି ? ଏହା ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆସିଛନ୍ତି ନା ଓଡ଼ିଶା ସରକାରଙ୍କ ପକ୍ଷରୁ ଆସିଛନ୍ତି ? ତାହା କୌଣସି ଗ୍ରାମବାସୀଙ୍କ ପାଖରେ ଖବର ନାହିଁ ବୋଲି ପ୍ରକାଶ କରି ତାତିଛନ୍ତି ତଳ ଗଞ୍ଜେଇପଦର ଗ୍ରାମବାସୀ ।
ସୂଚନା ଅନୁଯାୟୀ ଗତ ପାଞ୍ଚ ଦିନ ତଳେ ତାମିଲନାଡୁରୁ ୬ ଜଣ ଅଜଣା ବ୍ୟକ୍ତି ଏକ ଟ୍ରକ୍ ଯୋଗେ କିଛି ମାଟିଖୋଳା ଯନ୍ତ୍ରପାତି ଧରି ତଳଗଞ୍ଜେଇପଦର ଗ୍ରାମରେ ପହଞ୍ଚି ଥିଲେ । ପାହାଡ ତଳେ ରହିଥିବା ଜାଗା ଗୁଡ଼ିକରେ ପହଞ୍ଚି ଯନ୍ତ୍ରପାତି ଦ୍ବାରା ମାଟି ଖୋଳିବା ଆରମ୍ଭ କରିଥିଲେ । ସେହି ସମୟରେ ଗ୍ରାମବାସୀ ପହଞ୍ଚି କୁଆଡେ ଆସିଛ ଓ କିଏ ପଠାଇଛି ବୋଲି ପ୍ରଶ୍ନ କରିଥିଲେ କିନ୍ତୁ ସେମାନେ କିଛି ନକହି କାମ ବନ୍ଦ କରି ଦେଇଥିଲେ ।