ଓଡିଶା

odisha

ETV Bharat / state

କମୁଛି ଭୂତଳ ଜଳସ୍ତର, ଚିନ୍ତାରେ କୋରାପୁଟ - କୋରାପୁଟ

ଲୋକସଂଖ୍ୟା ବୃଦ୍ଧି ସହ ବୃଷ୍ଟିପାତ ହ୍ରାସ କୋରାପୁଟବାସୀଙ୍କ ଚିନ୍ତା ବଢାଇଛି । ଜଳବାୟୁ ପରିବର୍ତ୍ତନ ସହ ପାରିପାର୍ଶ୍ବିକ ଅଞ୍ଚଳର ଉପଯୁକ୍ତ ଯତ୍ନର ଅଭାବ ଜଳସ୍ତର ହ୍ରାସର ମୁଖ୍ୟ କାରଣ ପାଲଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jul 27, 2019, 1:55 PM IST

କୋରାପୁଟ: ଲୋକସଂଖ୍ୟା ବୃଦ୍ଧି ସହ ଦିନକୁ ଦିନ ବର୍ଷାର ପରିମାଣ କମୁଥିବାବେଳେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଯାହା ଏବେ କୋରାପୁଟ ପାଇଁ ଚିନ୍ତା ବଢେଇ ଦେଇଛି । ଦିନେ ଓଡିଶାର ଚେରାପୁଞ୍ଜି କୁହାଯାଉଥିବା କୋରାପୁଟରେ ବର୍ଷକୁ 6 ମାସ ବର୍ଷା ଲାଗି ରହୁଥିଲା । ପାହାଡ ପର୍ବତରୁ ବୋହିଯାଉଥିବା ଅନେକ ଝରଣା ଅଞ୍ଚଳବାସୀଙ୍କ ଜଳ ଆବଶ୍ୟକତାକୁ ପୂରଣ କରୁଥିଲା । ମାଟିର ଉପର ସ୍ତରରୁ କିଛି ଦୂରରେ ଭୂତଳ ଜଳ ପାଇ ହେଉଥିଲା । କିନ୍ତୁ ଚଳିତ ବର୍ଷ ବୃଷ୍ଟିପାତର ପରିମାଣ ହ୍ରାସ ପାଇଥିବାରୁ ଭୂତଳ ଜଳସ୍ତର ମଧ୍ୟ ଦୂରକୁ ଚାଲିଯାଇଛି । ଏଭଳି ସମସ୍ୟା ଭବିଷ୍ୟତରେ କୋରାପୁଟବାସୀଙ୍କୁ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ କରାଇବା ନେଇ ଆଶା ବ୍ୟକ୍ତ କରିଛନ୍ତି କୋଲାବ ବହୁମୁଖୀ ପ୍ରକଳ୍ପର ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ନୃସିଂହାନନ୍ଦ ପାଣିଗ୍ରାହୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋଲାବ ସମେତ ଏହି ଅଞ୍ଚଳରେ ଥିବା ଇନ୍ଦ୍ରାବତୀ, ବାଲିମେଳା ଓ ଜଲାପୁଟ ଜଳଭଣ୍ଡାରରୁ ଜଳ ଯୋଗାଉଥିବା ପାରିପାର୍ଶ୍ବିକ ଅଞ୍ଚଳ ଉପଯୁକ୍ତ ଯତ୍ନ ନ ନେବା ଫଳରେ ପାହାଡ ଉପରୁ ମାଟି ଧୋଇ ହୋଇ ଜଳଭଣ୍ଡାରରେ ଭର୍ତ୍ତି ହେଉଛି । ଫଳରେ ଜଳଭଣ୍ଡାର ଗୁଡିକର ଜଳଧାରଣ କ୍ଷମତା ଆଶାତୀତ ଭାବେ କମିଯାଉଛି । ସେହିପରି ଆରଡବ୍ଲ୍ୟୁଏସଏସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶଶୀଭୂଷଣ ମିଶ୍ରଙ୍କ କହିବାନୁଯାୟୀ, ଭୂମି ଉପରେ ଗଚ୍ଛିତ ଜଳ ଓ ବୃଷ୍ଟିପାତର ପରିମାଣ କମିଯାଉଥିବା ଯୋଗୁଁ ଭୂତଳ ଜଳ ମଧ୍ୟ ପ୍ରଭାବିତ ହୋଇଛି । ଜଳବାୟୁ ପରିବର୍ତ୍ତନ ସହ ବିଭିନ୍ନ ଅଞ୍ଚଳରେ ହେଉଥିବା ନୀଳଗିରି ଗଛର ଚାଷ ମଧ୍ୟ ଜଳସ୍ତର ହ୍ରାସର ମୁଖ୍ୟ କାରଣ । ସେହପରି ଭୂମିରେ ଜଳର ପୁନଃସ୍ଥାପନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉନଥିବା ଯୋଗୁଁ ଭୂତଳ ଜଳ ତଳକୁ ଖସି ଯାଉଥିବା ନେଇ ସେ ମତବ୍ୟକ୍ତ କରିଛନ୍ତି ।

ସରକାରୀ ନିର୍ଦ୍ଦେଶ ଅନୁଯାୟୀ କୋରାପୁଟ ଅଞ୍ଚଳରେ ସର୍ବାଧିକ 80 ମିଟର ଗଭୀରତା ପର୍ଯ୍ୟନ୍ତ ନଳକୂପ ଖୋଳାଯାଉଛି । କିନ୍ତୁ ବର୍ଷକୁ ବର୍ଷ କମୁଥିବା ଭୂତଳ ଜଳସ୍ତର ଯୋଗୁଁ ଅନେକ ସ୍ଥାନରେ ନଳକୂପ ଖନନ ଯୋଗୁଁ ଜଳ ଯୋଗାଇ ହେଉନଥିବା କହିଛନ୍ତି ଉଠା ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପାତ୍ର ।

ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇ ମାସରେ କମ ବୃଷ୍ଟିପାତ ହୋଇଥିବାବେଳେ ପାଣିପାଗ କେନ୍ଦ୍ର ଦ୍ବାରା ଆସନ୍ତା କିଛିଦିନ ଧରି ପ୍ରବଳ ବର୍ଷା ହେବାର ସୂଚନା ରହିଛି । ବର୍ଷା ହେବା ଫଳରେ କୋରାପୁଟର ଜଳଭଣ୍ଡାର ଗୁଡିକରେ ଜଳ ଭର୍ତ୍ତି ହେବା ସହିତ ଭୂତଳ ଜଳସ୍ତରରେ ମଧ୍ୟ ସୁଧାର ଆସିବ ବୋଲି କୋରାପୁଟ ଜିଲ୍ଲା ଆପାତକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଆଶାପୋଷଣ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details