କୋରାପୁଟ: ଜଗଦଲପୁରରୁ କୋରାପୁଟ ଦେଇ ବୁଧବାର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଭିଷ୍ଟାଡୋମ କୋଚ୍ ସେବା ଆରମ୍ଭ ହୋଇଛି । ଏହି ସେବା କୋରାପୁଟ ଦେଇ ଯାଉଥିବା କିରଣ୍ଡୁଲ-ବିଶାଖାପାଟଣା ଏବଂ ବିଶାଖାପାଟଣା-କିରଣ୍ଡୁଲ ଏକ୍ସପ୍ରେସ ଟ୍ରେନରେ ଆରମ୍ଭ କରାଯାଇଛି । ତେବେ ଏଥିରେ ଅନେକ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ।
ଭାରତରେ ପ୍ରଥମ କରି ଯେତେବେଳେ ଭିଷ୍ଟାଡୋମ କୋଚ୍ ସେବା ଆରମ୍ଭ ହୋଇଥିଲା ସେତେବେଳେ ହିଁ ଏହି ଟ୍ରେନରେ ଏହି ସେବା ଆରମ୍ଭ ହୋଇଥିଲା । କିନ୍ତୁ ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିଭାଗ ଏବଂ ରେଳ ବିଭାଗ ମିଳିତ ଉଦ୍ୟମରେ ଏହା ଆରମ୍ଭ ହୋଇଥିବାରୁ ଏହା ଓଡ଼ିଶା ଆସି ପାରିନଥିଲା । କେବଳ ଆରାକୁ ଯାଏଁ ଆସିବା ପରେ ଏହି ଟ୍ରେନରୁ ଭିଷ୍ଟାଡୋମ କୋଚ୍ ଗୁଡିକୁ ସେଠାରେ ମୂଳ ରେଳଗାଡ଼ିରୁ ଅଲଗା କରି ପୁଣି ବିଶାଖାପାଟଣା ଅଭିମୁଖେ ଡାଉନ ଟ୍ରେନରେ ସେଗୁଡ଼ିକର ଫେରିବା ବ୍ୟବସ୍ଥା କରାଯାଇଥିଲା । ଏହାକୁ ନେଇ ଗତବର୍ଷ ଅଗଷ୍ଟ ୨୨ ତାରିଖରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।