କୋରାପୁଟ:ଗାଁର ସମସ୍ତେ ପାନୀୟ ଜଳ ସୁବିଧାରେ ପାଇବା ପାଇଁ ସରକାରଙ୍କ ଦ୍ଵାରା ଛଅ ବର୍ଷ ପୂର୍ବେ କୋରାପୁଟ ବ୍ଲକ ଅନ୍ତର୍ଗତ ଚକର୍ଲିଗୁଡାରେ ସ୍ଥାପନା କରାଯାଇଥିଲା ସୌରଶକ୍ତି ସମ୍ପନ୍ନ ଜଳ ଯୋଗାଣ ବ୍ୟବସ୍ଥା । ଉପର ସାହିରେ ନଳକୂଅ ଖୋଲାଗଲା । ତା’ ଉପରେ ସୌର ପ୍ୟାନେଲ ବସାଯାଇ ମୋଟର ମଧ୍ୟ ସଂଯୋଗ କରାଗଲା । ନଳକୂଅ ନିକଟରେ ଥିବା ବତୀ ମୁଦୁଲିଙ୍କ ବଗିଚା ମଧ୍ୟରେ ପାଣି ଟାଙ୍କି ବସାଗଲା ଆଉ ସମସ୍ତଙ୍କ କରତାଳି ମଧ୍ୟରେ ନଳକୂଅରୁ ପାଣି ବାହାରି ଟାଙ୍କିରେ ଭର୍ତ୍ତି ହେଲା । ଉପର ସାହି, ମଝି ସାହି ଓ ତଳ ସାହିରେ ଜଳ ଯୋଗାଣ ପାଇଁ ପୋଷ୍ଟ ତିଆରି ହେଲା । କିନ୍ତୁ, ସପ୍ତାହେ ନପୂରୁଣୁ ଜଳ ଯୋଗାଣ ବନ୍ଦ ହୋଇଗଲା ।
ମୋଟର ମରାମତି କରିବାକୁ ଚେଷ୍ଟା କରି ବିଫଳ ହେବା ଯୋଗୁଁ ତାକୁ କାଢି ନେଇ ଚନ୍ଦ୍ର ଯାନୀଙ୍କ ଘରେ ବିଭାଗୀୟ କର୍ମଚାରୀ ରଖିଥିବା ବଦ କେରେଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ରମଣି ଜାନି ଜଣାଇଛନ୍ତି । ପ୍ରକଳ୍ପ ଆରମ୍ଭ ହେବାର ମାସେ ନପୁରୁଣୁ ଖରାପ ହୋଇ ଯାଇଥିଲେ ହେଁ ବତୀ ମୁଦୁଲିଙ୍କ ବଗିଚାରେ ପାଣି ଟାଙ୍କି ପ୍ରଶାସନିକ ଅବହେଳା ଓ ଅଣଦେଖାର ମୁକସାକ୍ଷୀ ଭାବେ ଠିଆ ହୋଇ ରହିଛି । ଏହି ଟାଙ୍କି ବଗିଚାରେ ଜାଗା ମାଡି ବସିଥିବା ଯୋଗୁଁ ଏହାକୁ ଉଠାଇ ନେବାକୁ ବତୀ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ପାଖରେ ନେହୁରା ହୋଇଥିବା ଜଣାଇଛନ୍ତି । କିନ୍ତୁ ତାଙ୍କ ଗୁହାରି ଶୁଣିବା ତ ଦୂରର କଥା ଏହି ଗାଁରେ ଯେ, ଗୋଟେ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲା ତାହାବି ସରକାର ଭୁଲି ଯାଇଥିବା ଚନ୍ଦ୍ରମଣି ଅଭିଯୋଗ କରିଛନ୍ତି ।