କୋରାପୁଟ: ଜିଲ୍ଲାର ଅନେକ ଗାଁରେ ଭଲ ରାସ୍ତା ନଥିବାରୁ ଗର୍ଭବତୀ କାନ୍ଧରେ ବୁହା ହୋଇ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯିବା ଘଟଣା ପରେ ଏବେ ଚର୍ଚ୍ଚାରେ ମୃତଦେହ କାନ୍ଧରେ ବୁହା ହେବା ଘଟଣା । ଆମ୍ବୁଲାନ୍ସ ନ ଆସିବାରୁ ମୃତଦେହକୁ 7 କିମି ବୋହିନେଲେ ଗ୍ରାମବାସୀ । ଘଟଣା ଘଟିଛି ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସୀତାରାଇ ଗ୍ରାମରେ ।
ସୂଚନାନୁସାରେ, ଗାଁର ରାମନା ପାଙ୍ଗିଙ୍କ ପତ୍ନୀ କମଳା ପାଙ୍ଗିଙ୍କ ରବିବାର ବଜ୍ରାଘାତରେ ମୃତ୍ୟୁ ଘଟିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ଗ୍ରାମବାସୀ ହସ୍ପିଟାଲକୁ ଫୋନ କରି ପଟ୍ଟାଙ୍ଗିରୁ 3 କିଲୋମିଟର ଦୂରରେ ଥିବା ରୁଢ଼ିଆମ୍ବଗୁଡ଼ା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପଠାଇବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ସୀତାରାଇ ଠାରୁ ଆବଡାଖାବଡା ରାସ୍ତା ଦେଇ ଗ୍ରାମବାସୀ ମୃତଦେହକୁ କାନ୍ଧରେ ବୋହି ନେବା ପରେ ରୁଢ଼ିଆମ୍ବଗୁଡା ପହଞ୍ଚିନଥିଲା ଆମ୍ବୁଲାନ୍ସ । ଗ୍ରାମବାସୀ ଏନେଇ ପ୍ରଶାସନିକ ସହଯୋଗରେ ଅବହେଳା ପ୍ରତି କ୍ଷୋଭ ପ୍ରକାଶ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ 7 କିଲୋମିଟର ରାସ୍ତାର ଯାତ୍ରାକୁ ସମ୍ପନ୍ନ କରିଥିଲେ ।