କୋରାପୁଟ: ଜିଲ୍ଲା ମୁଜାଙ୍ଗ ପଞ୍ଚାୟତ ଡେଙ୍ଗାଜାନୀଗୁଡ଼ା ଗ୍ରାମ ନିକଟରେ ନାଲକୋ ପକ୍ଷରୁ ନିର୍ମାଣ କରାଯାଉଥିବା ରେଡମଡ ପଣ୍ଡକୁ ଗ୍ରାମବାସୀଙ୍କ ବିରୋଧ । ତେବେ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଇ ପୋଲିସ ଧମକ ଦେଉଥିବା ଅଭିଯୋଗ ହୋଇଛି।
ଏହି ରେଡ ମଡ ପଣ୍ଡ ଲାଗି ଏକ ବିରାଟ ପୋଖରୀ ଖନନ କରିବା ପାଇଁ ଡେଙ୍ଗାଜାନୀଗୁଡ଼ା ନିକଟରେ ସ୍ଥାନ ଚୟନ କରାଯାଇଥିଲା । କିନ୍ତୁ ନାଲକୋର ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଥିବା ରେଡ଼ମଡ଼ ପଣ୍ଡରୁ ରାସାୟନିକ ପଦାର୍ଥ ଗାଁ ଜଳକୁ ଦୂଷିତ କରୁଥିବା ସହିତ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ଏଥିପାଇଁ ଦ୍ଵିତୀୟ ରେଡ଼ମଡ଼ ପଣ୍ଡ ନିର୍ମାଣକୁ ଗ୍ରାମବାସୀ ବିରୋଧ କରୁଥିବା ଜଣାଇଛନ୍ତି ।
ଗତ ଦୁଇ ଦିନ ପୂର୍ବେ ନାଲକୋ ତରଫରୁ ଏହି ଖନନ କାର୍ଯ୍ୟ କରୁଥିବା କମ୍ପାନୀ ଡେଙ୍ଗାଜାନୀଗୁଡ଼ା ଗ୍ରାମ ଠାରୁ ମାତ୍ର ୨୦୦ ମିଟର ଦୂରରେ ପୋଖରୀ ଖନନ ପାଇଁ ସର୍ଭେ ଆରମ୍ଭ କରିଥିଲା। ଏନେଇ ଗ୍ରାମବାସୀ ସୂଚନା ପାଇ ସର୍ଭେ କରୁଥିବା କମ୍ପାନୀ କର୍ମଚାରୀଙ୍କୁ ଏଠାରେ ରେଡମଡ ପଣ୍ଡ କାର୍ଯ୍ୟ ନିର୍ମାଣ କରିବା ନେଇ ବିରୋଧ କରିଥିଲେ।