କୋରାପୁଟ:ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ,ଯାତାୟତ ପାଇଁ ଦୀର୍ଘ ବର୍ଷ ହେବ ସମସ୍ୟା ଭୋଗୁଛନ୍ତି କୋରାପୁଟ ଜିଲ୍ଲାର ୬ଟି ଗ୍ରାମର ଗ୍ରାମବାସୀ । ସମାଧାନ ପାଇଁ ଦୀର୍ଘ ଦିନ ଧରି ଏକ ପୋଲ ଦାବି କରିଆସୁଛନ୍ତି । ଦାବି ଆଧାରରେ ପୋଲ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା, ମାତ୍ର ସଂପୂର୍ଣ୍ଣ ହୋଇପାରିଲା ନାହିଁ । ପ୍ରଶାସନର ଅଣଦେଖା ଓ ଠିକାଦାର କମ୍ପାନୀର ବେପରୁଆ ମନୋଭାବ ପାଇଁ ଅଧାରେ ଅଟକିଛି ଏହି ପୋଲ ନିର୍ମାଣ କାମ । ଅଧାପନ୍ତରିଆ ହୋଇ ପଡିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ନନ୍ଦୀଗାଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଧୁବିଶାଲି ଯିବା ବାଟରେ ଥିବା ଚାବରି ନଦୀରେ ତିଆରି ହେଉଥିବା ପୋଲ । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ପ୍ରାୟ ୬ଟି ଗ୍ରାମର ଲୋକେ ।
ଏ ସମସ୍ୟାରୁ ମୁକୁଳିବା ପାଇଁ ନିଜ ଖର୍ଚ୍ଚ ଓ ପରିଶ୍ରମରେ ବାଉଁଶ ପୋଲ ତିଆରି କରିଛନ୍ତି ଗାଁ ଲୋକେ । ଜୀବନକୁ ବିପଦରେ ପକାଇ ଛୋଟଠୁ ବଡ ପର୍ଯ୍ୟନ୍ତ, ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଗୁରୁତର ରୋଗୀଙ୍କ ପର୍ଯ୍ୟନ୍ତ ଏହି ଅସ୍ଥାୟୀ ବାଉଁଶ ପୋଲ ଦେଇ ଯାତାୟତ କରୁଛନ୍ତି । ନନ୍ଦୀଗାଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଧୁବିଶାଲି ଯିବା ବାଟରେ ପଡେ ଚାବରି ନଦୀ । ନଦୀର ଆରପଟେ ଥିବା ମଧୁବିଶାଲି, ସଲପଗୁଡ଼ା, ତେତଲିଗୁଡ଼ା, ମାଳତିଗୁଡ଼ା, ଚାକଲି ଓ ଝାବରାପଦରର ଗ୍ରାମବାସୀ ଗତ ପାଞ୍ଚବର୍ଷ ଧରି ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ପାଞ୍ଚ ବର୍ଷ ପୂର୍ବେ ଗାଁ ଲୋକେ ଏହି ନଦୀର ସ୍ୱଳ୍ପ ଜଳ ପ୍ରବାହିତ ହେଉଥିବା ସ୍ଥାନକୁ ଦେଖି ବର୍ଷ ତମାମ କଷ୍ଟରେ ହେଉ ପଛେ ପାର୍ ହୋଇଯାଉଥିଲେ ।
ତେବେ ଗ୍ରାମବାସୀଙ୍କ ବାରମ୍ବାର ଦାବି ଉପସ୍ଥାପନ କରିବା ପରେ ୨୦୧୭ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଏହି ନଦୀ ଉପରେ ଏକ ୭୬.୦୫ ମିଟର ଲମ୍ବ ବିଶିଷ୍ଟ ଏକ ପୋଲ ନିର୍ମାଣ କରିବା ପାଇଁ ଏନବିସିସି ଠିକାଦାର କମ୍ପାନୀକୁ ଦାୟିତ୍ଵ ଦିଆଯାଇଥିଲା । ସମୁଦାୟ ୨୭୭.୮ ଲକ୍ଷ ଟଙ୍କା ବ୍ୟୟରେ ଏହି ପୋଲ ନିର୍ମାଣ ପାଇଁ ସ୍ଥିର ହୋଇଥିଲା । ନିର୍ମାଣ କାର୍ଯ୍ୟ ୨୦୧୯ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଧାର୍ଯ୍ୟ ହୋଇଥିଲା । ମାତ୍ର ବର୍ଷ ୨୦୨୨ ଶେଷ ହେବାକୁ ବସିଥିଲେ ସୁଦ୍ଧା ପୋଲ ନିର୍ମାଣ ଶେଷ ତ ଦୂରର କଥା ଆରମ୍ଭ ମଧ୍ୟ ହୋଇନାହିଁ । କେବଳ ନଦୀ ଭିତରେ ଗାତ ଖୋଳି ଛାଡି ଦିଆଯାଇଛି । ଠିକାଦାରଙ୍କ ମନମାନି ଓ ସରକାରୀ କଳର ଉଦାସୀନତା ଯୋଗୁଁ ଅନିଶ୍ଚିତତାରେ ଏହି ପୋଲ ନିର୍ମାଣ କାମ । ଫଳରେ ନୀରିହ ଗ୍ରାମବାସୀ ଭାଗ୍ୟକୁ ଆଦରି ସେହି ବିପଦପୂର୍ଣ୍ଣ ପୋଲରେ ପ୍ରତିଦିନ ପାର୍ ହେଉଛନ୍ତି ।