କୋରାପୁଟ: ମଦ ପିଇବି ନାହିଁ..ନାହିଁ ନାହିଁ ପିଇବି ନାହିଁ । ବହୁ ବର୍ଷେ ପୂର୍ବେ ମଦକୁ ନେଇ ଏହି ସଚେତନତା ଗୀତ ଗାଇ ସମସ୍ତ ଲୋକଙ୍କ ପାଖରେ ବେଶ ପ୍ରିୟ ହୋଇଥିଲେ ଯାଆଁଳା ଭାଇ ଶାନ୍ତିପ୍ରକାଶ ଓ ଜ୍ୟୋତିପ୍ରକାଶ। ଏହି ଦୁଇ ଭାଇ କୌଣସି ସରକାରୀ ବା ବେସରକାରୀ ସଙ୍ଗଠନର ବାର୍ତ୍ତା ପ୍ରଚାରକ ନୁହନ୍ତି। ଦାରିଦ୍ର୍ୟ ଅନଟନ ମଧ୍ୟରେ କେଲାର ଗାଁରେ ଦିନ କାଟୁଛନ୍ତି ଉଭୟ ।
ବହୁ ବର୍ଷ ପୂର୍ବେ ସେମାନେ ଏହି ଗୀତକୁ ରାଜ୍ୟସ୍ତରୀୟ ପରବ ସାଂସ୍କୃତିକ ମଞ୍ଚରେ ପରିବେଷଣ କରି ଲୋକଲୋଚନକୁ ଆସିଥିଲେ। କିନ୍ତୁ ସେମାନଙ୍କ ପ୍ରତିଭା କେବଳ କିଛି ତାଳି, ଉତ୍ତରୀୟ ଓ ପୁରସ୍କାର ମଧ୍ୟରେ ସୀମିତ ହୋଇ ରହିଯାଇଥିଲା। ତାଙ୍କ ପ୍ରତିଭାକୁ ନେଇ ଆନନ୍ଦିତ ହୋଇଉଠିଥିବା ପ୍ରଶାସନ ବା ବ୍ୟକ୍ତି ବିଶେଷ ସେମାନଙ୍କୁ ଏକ ଉଚିତ ସ୍ଥାନରେ ପହଞ୍ଚାଇବା ପାଇଁ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଆସୁଛି। କିନ୍ତୁ ଦୁଇ ଭାଇଙ୍କ ସାମାଜିକ ଯାତ୍ରା ସରକାରୀ ନଥିଲା ବା ସରକାରୀ ପ୍ରୋତ୍ସାହନ ବିନା ଅଟକି ଯିବା ଭଳି ଏକ ଚେତନା ନଥିଲା। ତେଣୁ ଦୁଇ ଭାଇ ଦାମନଯୋଡି ଆସି ନାଲକୋ କମ୍ପାନୀର ଠିକାଦାରଙ୍କ ପାଖରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଜୀବନ ଜିଇଁବା ସହ ନିଜ ସଙ୍ଗୀତ ସାଧନାକୁ ଆଗକୁ ନେଇଥିଲେ ।