କୋରାପୁଟ: ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଉତ୍ପାଦିତ ହେଉଥିବା ହଳଦୀ ଜାତୀୟ ସ୍ତରୀୟ ବଜାରରେ ହୋଇଛି ଆଦୃତ । ହଳଦୀର ପରୀକ୍ଷା ପରେ ଏଥିରେ 5ରୁ 6 ଭାଗ କୁକୁମୀନ ଥିବାରୁ ଏହାକୁ ଔଷଧ ତିଆରିରେ ବ୍ୟବହାର କରାଯିବ । ଏଥିଲାଗି IFCO ଲକ୍ଷ୍ମୀପୁର ବ୍ଲକରୁ 20 ମେଟ୍ରିକ ଟନ ହଳଦୀ କିଣିଥିବା ସୂଚନା ମିଳିଛି ।
ଗତ କିଛି ମାସ ପୂର୍ବେ ଏଠାକାର ହଳଦୀକୁ ଦେଶର ଅଗ୍ରଣୀ ପରୀକ୍ଷାଗାରକୁ ପଠାଯିବା ପରେ ଏଥିରେ ଶତକଡା 5ରୁ 6 ଭାଗ କୁକୁମୀନ ରହୁଥିବା ଜଣାପଡିବା ପରେ ଔଷଧ ତିଆରିରେ ଏହାର ଚାହିଦା ଆହୁରି ଅଧିକ ବଢିଛି । ଫଳରେ IFCO ଦ୍ଵାରା ଲକ୍ଷ୍ମୀପୁର ବ୍ଲକରୁ 20 ମେଟ୍ରିକ ଟନ ହଳଦୀ କିଣାଯାଇଥିବା ORMASAର ଜିଲ୍ଲାଧିକାରୀ ରୋଶନ କାର୍ତ୍ତିକ ସୂଚନା ଦେଇଛନ୍ତି ।
ଲକ୍ଷ୍ମୀପୁର ବ୍ଲକର ଟିମାଝୋଲା, ଚମ୍ପି, କୋନାପାଡୁ, ଲଛମଣି, ଡୂମୁରିପଦର, ପିପଲପଦର, ତୟାପୁଟ ଓ ଲକ୍ଷ୍ମୀପୁରର ଗୋଟିଏ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ 7ଟି ଉତ୍ପାଦକ ଦଳଠାରୁ ତୟାପୁଟର ପାର୍ବତୀ SHG ମାଧ୍ୟମରେ ଏହି ସମସ୍ତ ହଳଦୀକୁ ସଂଗ୍ରହ କରାଯାଇଥିବା କାର୍ତ୍ତିକ କହିଛନ୍ତି । ଉଚ୍ଚମାନର ଉତ୍ପାଦକୁ କମ ଦାମରେ ବିକ୍ରି କରିଦେଉଥିବା ଚାଷୀ ବର୍ତ୍ତମାନ ପ୍ରତି କିଲୋ ହଳଦୀ ପାଇଁ 92 ଟଙ୍କା ପାଇ ଅତ୍ୟନ୍ତ ଖୁସି ଥିବା ପାର୍ବତୀ ମହିଳା SHGର ସଭାପତି ପାରା ମାସକା କହିଛନ୍ତି ।