କୋରାପୁଟ: ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟା ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିରେ ରୋକ ଲାଗିଛି । ସେପଟେ ଆଦିବାସୀଙ୍କ ଜମି ସାଧାରଣ ବର୍ଗଙ୍କୁ ବିକ୍ରିକୁ ଆଦିବାସୀ ଗବେଷକମାନେ ବିରୋଧ କରିଛନ୍ତି । ପୂର୍ବରୁ ଜମି କିଣାବିକା ଉପରେ ନିୟନ୍ତ୍ରଣ ନଥିବା ସମୟରେ ଆଦିବାସୀମାନେ ବହୁ ପରିମାଣରେ ଜମି ହରାଇଥିବା ଅଭିଯୋଗ ହୋଇଥିଲା । ସେମାନଙ୍କ ଏପରି ଅବସ୍ଥାକୁ ସୁଧାରିବା ପାଇଁ 1956 ରେ ତତ୍କାଳୀନ ରାଜ୍ୟ ସରକାର 'Odisha Land Reformation Act' ପ୍ରଣୟନ କରି ଆଦିବାସୀଙ୍କ ଜମିକୁ ସିଧାସଳଖ ଭାବେ ଅଣଆଦିବାସୀ କିଣିପାରିବେ ନାହିଁ ବୋଲି ସୁରକ୍ଷାବଳୟ ସୃଷ୍ଟି କରିଥିଲେ । "ସେହି ନିୟମ ଅନୁଯାୟୀ ଆଦିବାସୀ ପରିବାର ନିଜ ପାଖରେ ଉପଯୁକ୍ତ ପରିମାଣର ଜମି ସୁରକ୍ଷିତ ଭାବେ ରଖି କେବଳ ବଳକା ଜମିକୁ ଉପଜିଲ୍ଲାପାଳଙ୍କ ଅନୁମତି ପାଇବା ପରେ ହିଁ ସାଧାରଣବର୍ଗର ବ୍ୟକ୍ତିଙ୍କୁ ବିକ୍ରି କରି ପାରିବେ" ବୋଲି ଆଦିବାସୀ ଗବେଷକ ପରେଶ ରଥ ଜଣାଇଛନ୍ତି ।
"ହେଲେ ଏହି ସୁରକ୍ଷା ବଳୟ ଭିତରେ ମଧ୍ୟ ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କ ଦ୍ୱାରା ହଡପ ହେବା କମି ନଥିଲା । ଏହି ସମସ୍ୟାକୁ ଉପଲବ୍ଧି କରି ସରକାର କୋରାପୁଟ ଭଳି ପଞ୍ଚମ ସିଡ୍ୟୁଲ ଏରିଆରେ ଆଦିବାସଙ୍କ ଜମି କୌଣସି ପ୍ରକାରେ ବିକ୍ରି କରାଯାଇପାରିବ ନାହିଁ ବୋଲି ନିୟମ ପ୍ରଣୟନ କଲେ । କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପେସା ନିୟମକୁ ପ୍ରଣୟନ କରିପାରିନଥିବା ସରକାର ବର୍ତ୍ତମାନ ପୁଣିଥରେ ପୂର୍ବାବସ୍ଥାକୁ ଫେରାଇନେବା ଦୁର୍ଭାଗ୍ୟ ଜନକ" କହି ଆଦିବାସୀ ଗବେଷକ ପରେଶ ରଥ କ୍ଷୋଭ ପ୍ରକାଶ କରିଛନ୍ତି ।
ଜମି କିଣାବିକା ଉପରୁ କଟକଣା ହଟାଯିବାକୁ ବିରୋଧ କରିଛନ୍ତି ପରଜା ସମାଜର ସକ୍ରିୟ ଆଦିବାସୀ ସଦସ୍ୟ ମଦନ କିର୍ସାନୀ । " ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନାର ରୂପରେଖ ସୃଷ୍ଟି ହୋଇଥିବାବେଳେ ଯଦି ଆଦିବାସୀ ନିଜ ବିକାଶ ପାଇଁ ନିଜ ଜମି ବିକ୍ରି କରିବାକୁ ବାଧ୍ୟ ହୁଏ ତେବେ ଆଦିବାସୀ ବହୁଳ ଅଞ୍ଚଳରେ ଏପରି ଶିଳ୍ପ କାହିଁକି ପ୍ରତିଷ୍ଠା କରାଯାଉଛି" ? ବୋଲି ମଦନ କିର୍ସାନୀ ପ୍ରଶ୍ନ କରିଛନ୍ତି । ତେବେ ସରକାରଙ୍କ ଏହି ନିଷ୍ପତ୍ତି ଆଦିବାସୀଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ବୋଲି ମତ ରଖି ଏହି ପ୍ରସ୍ତାବିତ ନିୟମକୁ କେବଳ ରୋକ ଲଗାଇବାରେ ଅଟକି ନଯାଇ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି ।