ଓଡିଶା

odisha

ETV Bharat / state

କୋଟିଆରେ ଜଗନ୍ନାଥ ସଂସ୍କୃତିର ବାର୍ତ୍ତା, 20ବର୍ଷ ଧରି ପାଳନ ହେଉଛି ରଥଯାତ୍ରା

କୋରାପୁଟ ଜିଲ୍ଲାର ଓଡିଶା ଓ ଆନ୍ଧ୍ର ସୀମାନ୍ତ କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ବର୍ଷ ବର୍ଷ ଧରି ଏହି ଯାତ୍ରା ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ଗ୍ରାମରୁ ଅନେକ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିଛି ।

By

Published : Jun 22, 2023, 8:09 PM IST

କୋଟିଆରେ ଗଡିଲା ରଥ
କୋଟିଆରେ ଗଡିଲା ରଥ

କୋଟିଆରେ ଗଡିଲା ରଥ

କୋରାପୁଟ: ବୁଧବାର ଓଡିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ମଙ୍ଗଳବାର ଶ୍ରୀକ୍ଷେତ୍ର ସମେତ ବହୁ ସ୍ଥାନରେ ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଥିବାବେଳେ ଆଜି କୋଟିଆରେ ହୋଇଛି ରଥଯାତ୍ରା। ଅପରପକ୍ଷେ ଓଡିଶାକୁ ମୌସୁମୀ ଆଗମନରେ ପ୍ରଥମେ ଭିଜିଛି କୋଟିଆ। ଆକାଶ ତଳେ କୋଟିଆ ଅଞ୍ଚଳର ବହୁ ଆଦିବାସୀ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା କୋଟିଆରେ ପହଞ୍ଚି ଏହି ଯାତ୍ରାରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।

ସକାଳୁ ଭୀଷଣ ବର୍ଷା ହୋଇଥିଲେ ମଧ୍ୟ ଗ୍ରାମବାସୀ ଓ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଉତ୍ସାହକୁ ପ୍ରଭାବିତ କରିପାରିନଥିଲା । ଓଡିଶା ଓ ଆନ୍ଧ୍ର ପ୍ରଦେଶ ଉଚ୍ଚତମ ସୀମା ବିବାଦକୁ ନେଇ ଚର୍ଚ୍ଚାରେ ଥିବା କୋଟିଆ ପଞ୍ଚାୟତର ସମଗ୍ର ଅଞ୍ଚଳବାସୀ ଆନନ୍ଦ ଉଲ୍ଲାସର ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଯୋଗ ଦେଇଥିଲେ । ଦୀର୍ଘ 20 ବର୍ଷ ପୂର୍ବେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ତତ୍କାଳୀନ ଜିଲ୍ଲା ପ୍ରଶାସକଙ୍କ ସହଯୋଗରେ ସୀମାନ୍ତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ ଆୟଜନ କରାଯାଇଥିଲା।

କୋଟିଆଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ସହ ରଥଯାତ୍ରା ଆରମ୍ଭ କରାଯାଇଥିଲା । ବର୍ଷ ବର୍ଷ ଧରି ଏହି ଯାତ୍ରା ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ଗ୍ରାମରୁ ଅନେକ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିଛି । ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାର ପ୍ରୟୋଗଶାଳା ଭାବେ ପରିଚିତ ଥିବା ଏହି ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ସାଧାରଣଲୋକଙ୍କ ମଧ୍ୟରେ ଆଦର ବୃଦ୍ଧି କରିବାରେ ଏହି ଯାତ୍ରା ସହାୟକ ହୋଇପାରିଛି । ଶାବର ଶ୍ରୀକ୍ଷେତ୍ରରେ ଦେବୀ ସୁଭଦ୍ରାଙ୍କୁ ମହିଳା ମାନେ ପହଣ୍ଡି କରିବାର ସୁଯୋଗ ପାଇଥିବାବେଳେ ଆଦିମ ଶ୍ରୀକ୍ଷେତ୍ର କୋଟିଆରେ ମହିଳାମାନେ ଆନନ୍ଦ ଉଲ୍ଲାସର ସହ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତିକୁ ମନ୍ଦିରର ରତ୍ନ ସିଂହାସନରୁ ଓହ୍ଲାଇ ଆଣି ଦିବ୍ୟ ରଥ ଉପରକୁ ପହଣ୍ଡି କରି ଆଣିଥିଲେ।

ତେବେ ରଥ ଟଣା ହେଲା ବେଳକୁ ମଧ୍ୟ ରଥର ଦଉଡ଼ି ଧରିବା ପାଇଁ ପୁରୁଷ ଓ ମହିଳାଙ୍କୁ ସୁଯୋଗ ଦିଆଯାଇଛି। ତେବେ ମହିଳାମାନେ ଅଧିକ ସଂଖ୍ୟାରେ ରଥ ଟାଣିବାର ଆନନ୍ଦ ନେଇପାରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ କୋରାପୁଟ ଓ ପଟ୍ଟାଙ୍ଗିର ବହୁ ନେତା, ପଟ୍ଟାଙ୍ଗି ପଞ୍ଚାୟତ ସମିତିର କର୍ମକର୍ତ୍ତା, ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ ସହ ଯୋଗ ଦେଇ ଯାତ୍ରାକୁ ସଫଳ କରିଥିଲେ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details