କୋରାପୁଟ: ଜିଲ୍ଲାର ନାରାୟଣପାଟଣା ଅଞ୍ଚଳରେ ଆଦିବାସୀମାନେ ଚାଷ କରୁଥିବା ଜମିକୁ ହଡପ କରାଯାଇ ଆଦିବାସୀଙ୍କୁ ଭୂମିହୀନ କରାଯାଇଛି । ଏହି ଅଭିଯୋଗରେ ଚାଷୀ ମୂଲିଆ ଆଦିବାସୀ ସଂଘର ନେତୃତ୍ବ ନେଇ ଜେଲ ଯାଇଥିବା ନାଚିକା ଲିଙ୍ଗାଙ୍କୁ ଚଳିତ ବର୍ଷର ରବି ରାଏ ସମ୍ମାନ ପାଇଁ ଜିଲ୍ଲାରେ ସମ୍ବର୍ଦ୍ଧନା ଦିଆଯାଇଛି ।
କୋରାପୁଟ ଆଦିବାସୀ ସଂଗ୍ରହାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଉଦବୋଧନ ଦେବା ସମୟରେ ସେ ହିଂସାର ମାର୍ଗ ଅବଲମ୍ବନ କରନ୍ତି ବୋଲି ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ହିଂସାରେ ବିଶ୍ବାସ କରନ୍ତି ନାହିଁ ଓ କାହାକୁ ହତ୍ୟା କରିନାହାଁନ୍ତି ବା କାହାରି ହତ୍ୟାକୁ ସ୍ବଚକ୍ଷୁରେ ଦେଖିନାହାଁନ୍ତି ବୋଲି ସଭାରେ କହିଛନ୍ତି । ତାଙ୍କ ଉପରେ 36ଟି କେସ୍ ଲାଗିଥିବାବେଳେ 35ଟି କେସ୍ରେ ଦୋଷମୁକ୍ତ ହୋଇଯାଇଛନ୍ତି । ତେବେ ସେ ଗୋଟିଏ କେସ୍ରେ ଗତ କିଛିଦିନ ପୂର୍ବେ ଜାମିନ ପାଇଥିବା ତାଙ୍କ ଓକିଲ ଗୁପ୍ତ ପ୍ରସାଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।