କୋରାପୁଟ:ଜିଲ୍ଲା ନନ୍ଦପୁର ବ୍ଲକ ଅଞ୍ଚଳର ଥିବା ବିଭିନ୍ନ ପାହାଡ଼ରେ ବଡ ବଡ ଗୁମ୍ଫା ରହିଛି । ସ୍ଥାନୀୟ ଅଧିବାସୀ ଉକ୍ତ ଗୁମ୍ଫାରେ ଥିବା ଦେବାଦେବୀଙ୍କୁ ନିଜର ଇଷ୍ଟଦେବୀ ଓ ଐତିହ୍ୟ ସଂସ୍କୃତିକୁ ଜଡ଼ିତ କରି ପୂଜା କରନ୍ତି। ସେହିଭଳି ଏକ ବିରାଟ ଗୁମ୍ଫା ନନ୍ଦପୁର ବ୍ଲକ ଅନ୍ତର୍ଗତ ଦୁଇ ପଞ୍ଚାୟତ କସନ୍ଦୀ (ଡ଼ାରେଙ୍ଗବା) ଓ ଖେମୁଣ୍ଡୁଗୁଡା ସୀମାରେ ଥିବା ପରୁଆମାଳି ପାହାଡ଼ରେ ରହିଛି । ଗୁମ୍ଫାରେ ବିଷ୍ଣୁ ପୂଜା ପାଆନ୍ତି । ଏଠାରେ ଚନ୍ଦନ ଯାତ୍ରା ଓ ଲିଆଖିଆ ପର୍ବ ପାଳନ ହୋଇଛି ।
ଡ଼ାରେଙ୍ଗବା ଗ୍ରାମବାସୀ ଗୁମ୍ଫାର ଜଗୁଆଳି ସାଜିଥିବାବେଳେ ଖେମୁଣ୍ଡୁୁୁ ଗୁଡ଼ାର ପୂର୍ବତନ ବିଧାୟକ (ପଟାଙ୍ଗିି) ଭଗବାନ ଖେମୁଣ୍ଡୁଙ୍କ ପରିବାର ଏହାର ପୂଜକ। ବାହାରକୁ ଛୋଟ ଦ୍ଵାର କିନ୍ତୁ ଭିତର ତିନିଥାକିଆ ପାହାଡ଼ର ଛାତ ସହ ଏକ କାଳୀନ ୨ ରୁ ୩ ହଜାର ଲୋକଙ୍କୁ ନିଜ ବକ୍ଷରେ ଧାରଣ କରିବାର କ୍ଷମତା ରଖିଛି ଏହି ଗୁମ୍ଫା । ଏହି ଗୁମ୍ଫାରେ ପରୁଆମାଳି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲୋକେ ନିଜର ଚାଷବାସ, ବ୍ୟାପାର ବଣିଜ, ଜଙ୍ଗଲ ଜମି, ଗୃହ ପାଳିତ ପଶୁ, ରୋଗ ବ୍ୟାଧି ଓ ଧନ ଜୀବନ ରକ୍ଷା ନିମିତ୍ତ ଏଠାରେ ମାନସିକ କରି ପୂଜା କରୁଥିବା ପୂଜକ ନରେନ୍ଦ୍ର ଖେମୁଣ୍ଡୁ ଓ ସୁମିତ୍ରା ଖେମୁଣ୍ଡୁ କହିଛନ୍ତି । ଦିନରେ ଗୁମ୍ଫାରେ ଚନ୍ଦନ ଯାତ୍ରା ଓ ରାତିରେ ଗ୍ରାମରେ ଲିଆଖାଇ ପରବ ଅନୁଷ୍ଠିତ ହୋଇଥାଏ । ଖେମୁଣ୍ଡୁଗୁଡା ଗ୍ରାମରେ ଚଇତି ପରବ ପାଳନ ସମୟେ ବେଣ୍ଟରେ ଶିକାର ହୋଇଥିବା ଜୀବଜନ୍ତୁ ଖାଇ ଲିଆଖାଇ ପରବ ଅନୁଷ୍ଠିତ ହୋଇଥାଏ ।
ଗ୍ରାମର ସମସ୍ତ ବନ୍ଧୁ ପରିଜନ ଏକାଠି ହୋଇ ନୂଆ ବସ୍ତ୍ର ପରିଧାନ କରି ନିଜ ନିଜ ଘରୁ ଶ୍ରାଦ୍ଧ ନିମିତ୍ତ ଲିଆ ଓ ବିଭିନ୍ନ ଭୋଗ ଧରି ନିଶାନୀ ମୁଣ୍ଡାରେ ଏକତ୍ରିତ ହୁଅନ୍ତି । ଗ୍ରାମ ନାଚ ଗୀତରେ ଉତ୍ସବ ମୁଖର ହୋଇଉଠିଛି । ଅର୍ଦ୍ଧ ରାତ୍ରରେ ଗ୍ରାମ ଦିଷାରି ଉଗ୍ରସେନ ପମିଆ ଓ ରଞ୍ଜିତ ଖେମୁଣ୍ଡୁ ଶ୍ରାଦ୍ଧ ବିଧି ପୂଜା ସାରି ଏକତ୍ରିତ ଲିଆକୁ ପ୍ରସାଦ ଆକାରରେ ବଣ୍ଟନ କରିଛନ୍ତି । ଯାହାକୁ ଗ୍ରାମବାସୀ ଦୂର ଦୁରାନ୍ତରେ ରହି ଅନୁପସ୍ଥିତ ଥିବା ପରିଜନଙ୍କୁ ମଧ୍ୟ ପଠାଇ ଥାଆନ୍ତି ବୋଲି ଦୁଇ ଦିସାରୀ କହିଛନ୍ତି ।