କୋରାପୁଟ:ଗୁଜରାଟର ଗାନ୍ଧୀନଗର ଠାରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ WHO ଏବଂ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ପାରମ୍ପରିକ ଔଷଧକୁ ନେଇ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ଓଡ଼ିଶାରୁ ୨ ଜଣ ଗବେଷକଙ୍କ ମଧ୍ୟରୁ ଜଣେ ହୋଇ ଯୋଗ ଦେଇଛନ୍ତି କୋରାପୁଟ ଦେଓମାଳିର ଔଷଧୀୟ ସମ୍ପଦକୁ ପରଖୁଥିବା ଆଦିବାସୀ ଗବେଷକ ହରି ପାଙ୍ଗି । ଏହାସହ ସେ ଜିଲ୍ଲାର ପାରମ୍ପରିକ ଔଷଧୀୟ ବୃକ୍ଷ ସମ୍ପର୍କରେ ସଫଳତାର ସହ ଉପସ୍ଥାପନ କରି କୋରାପୁଟ ତଥା ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।
ସମଗ୍ର ଓଡ଼ିଶାରୁ ଏହି ବିଶ୍ବସ୍ତରୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଚୟନ କରାଯାଇଥିବା ଦୁଇଜଣ ପାରମ୍ପରିକ ବୈଦ୍ୟଙ୍କ ମଧ୍ୟରୁ ଜଣେ ହୋଇ ପାଙ୍ଗି ତାଙ୍କ ଏହି ଉପସ୍ଥାପନା କରିଥିଲେ । ଫଳରେ ବର୍ତ୍ତମାନ ସରକାରଙ୍କ 'ଆୟୁଷ ପର୍ଯ୍ୟଟନ' ଯୋଜନାରେ କୋରାପୁଟର ଦେଓମାଳୀ ଓ ତତସଂଲଗ୍ନ ଅନେକ ପର୍ବତରେ ଭାରି ରହିଥିବା ଔଷଧୀୟ ସମ୍ପଦକୁ ଦର୍ଶନ କରିବା ଓ ଗବେଷଣା କରିବା ପାଇଁ ସମ୍ମିଳନୀରେ ଯୋଗଦେଇଥିବା ଗବେଷକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଥିବା ସେ ସୂଚନା ଦେଇଛନ୍ତି ।
ଜିଲ୍ଲାର ପାହାଡ଼ ପର୍ବତ ଓ ଜଙ୍ଗଲ ମଧ୍ୟରେ ଏବଂ ବିଶେଷ କରି ଜୈବ ବିବିଧତା ସମ୍ପନ୍ନ ଦେଓମାଳି ପର୍ବତମାଳାର ବୁକୁରେ ବିଶଲ୍ୟକରଣୀ, ଗଙ୍ଗଶିଉଳି, କୋଚିଲା, ଗୁଡମାରି ଭଳି ଏହି ଅଞ୍ଚଳର ପାରମ୍ପରିକ ଔଷଧୀୟ ଗୁଳ୍ମ ଓ ଭଳିକି ଭଳି ଔଷଧୀୟ ବୃକ୍ଷ ଦେଖାଯାଇଥାଏ । ଏଥିଲାଗି ପାଙ୍ଗିଙ୍କ ଭଳି ଗାଁଗଣ୍ଡାରେ ଚିକିତ୍ସା କରୁଥିବା ବୈଦ୍ୟ ନିଜ ଅଞ୍ଚଳର ପାରମ୍ପରିକ ଜ୍ଞାନ କୌଶଳକୁ ଆଧାର କରି ଚିକିତ୍ସା କରିଚାଲିଛନ୍ତି । ଗାଁ ଗଣ୍ଡାରେ ଏହି ଔଷଧୀୟ ଗୁଳ୍ମ ଓ ବୃକ୍ଷର ଉପସ୍ଥିତି ହିଁ ଲୋକଙ୍କୁ ବିଭିନ୍ନ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ ବୋଲି ପାଙ୍ଗି ମତ ରଖିଛନ୍ତି ।