ଓଡିଶା

odisha

ETV Bharat / state

ବର୍ଷାର ସପ୍ତାହରେ କଫି ବଗିଚାରେ ବ୍ଲସମ ଡେ’ - କଫି ଫୁଲର ବ୍ଲସମ ଦିବସ

ମାର୍ଚ୍ଚ ମାସରେ ହେଉଥିବା ପ୍ରଥମ ବର୍ଷାର ସପ୍ତାହକ ମଧ୍ୟରେ କୋରାପୁଟ ଜିଲ୍ଲାର ପ୍ରତ୍ୟେକ କଫି ବଗିଚାରେ ଫୁଲ ଫୁଟିଥାଏ । ଯାହାକୁ କଫି ଫୁଲର ବ୍ଲସମ ଦିବସ ବୋଲି ମଧ୍ୟ କୁହାଯାଇଥାଏ । ଅଧିକ ପଢନ୍ତୁ

coffee garden in koraput
coffee garden in koraput

By

Published : Mar 21, 2023, 4:35 PM IST

Updated : Mar 21, 2023, 7:13 PM IST

କଫି ବଗିଚାରେ ବ୍ଲସମ ଡେ’

କୋରାପୁଟ:ବିଶ୍ବ ଦରବାରରେ କୋରାପୁଟ କଫିର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ବିଶ୍ବର ବିଭିନ୍ନ ସ୍ଥାନରେ କଫି ପ୍ରେମୀ କଫିର ସ୍ୱାଦ ନେଉଥିବାବେଳେ କୋରାପୁଟ ଜିଲ୍ଲାର କଫି ବଗିଚା ଗୁଡିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବା କୋରାପୁଟ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ମାର୍ଚ୍ଚ ମାସରେ ହେଉଥିବା ପ୍ରଥମ ବର୍ଷାର ସପ୍ତାହକ ମଧ୍ୟରେ କୋରାପୁଟ ଜିଲ୍ଲାର ପ୍ରତ୍ୟେକ କଫି ବଗିଚାରେ ଫୁଲ ଫୁଟିଥାଏ । ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ବିଶେଷ ଦିନ ହୋଇଥାଏ । ଏହି ସପ୍ତାହକୁ କଫି ଫୁଲର ବ୍ଲସମ ଦିବସ ବୋଲି ମଧ୍ୟ କୁହାଯାଇଥାଏ ।

ତେବେ ଅସରାଏ ବର୍ଷା ପରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ରାଜୁପୁଟ ଗାଁର କଫି ଚାଷୀ ସୁଶାନ୍ତ କୁମାର ପଣ୍ଡାଙ୍କ କଫି ବଗିଚାରେ ଫୁଟିଛି ଫୁଲ । ତାଙ୍କର ବିଶାଳ କଫି ବଗିଚା ସାରା ଧଳା ରଙ୍ଗର ଫୁଲର ଚାଦରରେ ଘୋଡ଼ି ହୋଇଯାଇଥିବା ବେଳେ ବଗିଚା ଭିତର ଓ ବାହା ର ଦୁନିଆ ରେ କଫି ଫୁଲର ମହକ ରଜନୀଗନ୍ଧା ଫୁଲର ଭ୍ରମ ସୃଷ୍ଟି କରିଥିଲା । ଅନ୍ୟପଟେ କୋରାପୁଟ କଫି ବୋର୍ଡର ସମ୍ପର୍କ ଅଧିକାରୀ ଉପେନ୍ଦ୍ର କୁମାର ସାହା ଙ୍କ କହିବାନୁଯାୟୀ, ମାର୍ଚ୍ଚ ମାସର ପ୍ରଥମ ବର୍ଷାର ସପ୍ତାହରେ କୋରାପୁଟ ଜିଲ୍ଲାର ପ୍ରତ୍ୟେକ କଫି ବଗିଚାରେ ଫୁଲ ଫୁଟିଥାଏ। ସବୁ ଅଞ୍ଚଳରେ ସମାନ ଭାବେ ବର୍ଷା ଜଳ ପାଇପାରୁ ନ ଥିବା ଯୋଗୁଁ ବିଭିନ୍ନ ବଗିଚାରେ ପ୍ରାୟ ଏହି ସପ୍ତାହକ ମଧ୍ୟରେ କମବେଶୀ ଫୁଲ ଫୁଟି ଯାଏ । ଏହି ସପ୍ତାହକୁ କଫି ଫୁଲର ବ୍ଲସମ ଦିବସ ଭାବେ ପାଳନ କରିପାରିଲେ କଫି ଉଦ୍ୟୋଗୀଙ୍କ ସହ ପର୍ଯ୍ୟଟକ ମଧ୍ୟ ଆନନ୍ଦରେ ପ୍ରକୃତି ର ଉପହାରକୁ ଗ୍ରହଣ କରିପାରିଥାନ୍ତେ ବୋଲି ମତ ରଖିଛନ୍ତି ।

ସେହିପରି କଫି ଫୁଲର ସୁଗନ୍ଧର ମହକ ମହୁମାଛିଙ୍କୁ ଆକୃଷ୍ଟ କରିଥିବା ବେଳେ ଏହାର ସୌନ୍ଦର୍ଯ୍ୟ ଅନେକ ପକ୍ଷୀ ଙ୍କୁ ଏହି ବଗିଚା ମଧ୍ୟକୁ ଟାଣି ଆଣିଛି । କର୍ଣ୍ଣାଟକ ଭଳି ଏହି ସମୟରେ କଫି ବଗିଚା ମଧ୍ୟରେ ମହୁଚାଷ କରୁଥିବା ମହୁ ଚାଷୀଙ୍କୁ ପ୍ରୋତ୍ସାହନ ମିଳିଲେ ଏହି ଫୁଲ ଗୁଡିକରୁ ମଧୁ ସଂଗ୍ରହ କରୁଥିବା ମହୁମାଛିଙ୍କ ମାଧ୍ୟମରେ ଅତି ଉନ୍ନତ ମାନର କଫି ମହୁ ପ୍ରସ୍ତୁତ କରି ଉଚ୍ଚ ବଜାର ଦର ରେ ବିକ୍ରି କରି ଲାଭବାନ ହୋଇ ପାରନ୍ତେ । ଏଥିସହ କଫି ଫୁଲ ଫୁଟିବା ପାଇଁ ମାର୍ଚ୍ଚ ମାସରେ କୋରାପୁଟ ଜିଲ୍ଲାରେ ହେଉଥିବା ବୃଷ୍ଟିପାତର ଅନିୟମିତତା ଯୋଗୁଁ ସରକାରଙ୍କ ତରଫରୁ ସ୍ପ୍ରିଂକଲର ଦ୍ୱାରା ଜଳସେଚନ କରିବା ପାଇଁ ସହାୟତାର ହାତ ବଢ଼ାଇଲେ ଠିକ ସମୟରେ କଫି ଫୁଲ ଫୁଟିପାରନ୍ତା ଓ ଉନ୍ନତ ମାନର କଫି ଉତ୍ପାଦନ ହୋଇପାରନ୍ତା ବୋଲି କଫି ଉଦ୍ୟୋଗୀ ସୁଶାନ୍ତ ମତ ରଖିଛନ୍ତି ।

କୋରାପୁଟର କଫି ବଗିଚାରେ ମୂଳତଃ ଆରବିକ କଫି ଚାଷ କରାଯାଉଥିବା ବେଳେ ଏହି ବଗିଚା ମଧ୍ୟରେ ଟ୍ରି କଫି ଭାବେ ପରିଚିତ ଲିବେରିକା କଫି ଗଛରେ ଏହି ସମୟରେ ଫଳ ପାଚୁଥିବା ଯୋଗୁଁ କଫି ବଗିଚା ଗୁଡିକରେ ଏକ ସଙ୍ଗେ ଫୁଲ ଓ ଫଳ ଦେଖିବା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି ବୋଲି ଛୋଟାଗୁଡା ସ୍ଥିତ ବ୍ରାଉନ ଭେଲି କଫି ବଗିଚାର ଉଦ୍ୟୋଗୀ ସୁଜୟ ପ୍ରଧାନ ମତ ରଖିଛନ୍ତି । ଏଥିସହ କଫି ବଗିଚାରେ ବର୍ତ୍ତମାନର ବ୍ଲୁମିଙ୍ଗ ସପ୍ତାହ ମଧ୍ୟରେ ଆସୁଥିବା ପର୍ଯ୍ୟଟକ ଆରବିକା କଫି ଗଛରେ ଫୁଲ ର ଆନନ୍ଦ ନେବା ସହ ଲିବେରିକା କଫି ଗଛରେ ଥିବା ଫଳ ତୋଳା ର ଦୃଶ୍ୟ ଦେଖି ଆନନ୍ଦିତ ହୋଇପାରିବେ କଫି ପ୍ରେମୀ। ସେହିପରି ପର୍ଯ୍ୟଟକ ବହୁ ପ୍ରକାରର ରଙ୍ଗ ବେରଙ୍ଗର ପକ୍ଷୀ ଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇବେ ବୋଲି ପ୍ରଧାନ ଜଣାଇଛନ୍ତି ।

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଠିକ ସମୟରେ ବର୍ଷା ପଡିଥିବା ଯୋଗୁଁ କଫି ବୋର୍ଡ ଦ୍ୱାରା ଏହି ଅଞ୍ଚଳରେ କଫି ଚାଷ ର ବୃଦ୍ଧି ନିମନ୍ତେ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି ହେବ ବୋଲି କଫି ବୋର୍ଡ ର ଅଧିକାରୀ ଆଶାପୋଷଣ କରିଛନ୍ତି । ରାଜ୍ୟ ସରକାର ଙ୍କ କଫି ମିଶନ ଆନୁକୂଲ୍ୟରେ ଜିଲ୍ଲାରେ କଫି ଚାଷ କୁ ବ୍ୟାପକ କରିବା ପାଇଁ ଚଳିତ ବର୍ଷ ନିର୍ଧାରିତ କରାଯାଇଥିବା ଲକ୍ଷ୍ୟ ପୂରଣ କରିବା ଦିଗରେ କଫି ବଗିଚାରେ ଅଧିକ ଅମଳ ହେବା ନୂତନ ଚାଷୀଙ୍କୁ ଉତ୍ସାହ ପ୍ରଦାନ କରିବାରେ ସହାୟକ ହୋଇପାରିବ ବୋଲି ଉପେନ୍ଦ୍ର କୁମାର ଶାହା କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Mar 21, 2023, 7:13 PM IST

ABOUT THE AUTHOR

...view details