ଓଡିଶା

odisha

ETV Bharat / state

ମହାଭାରତ ସହ ଜଡିତ ସ୍ଥାନକୁ ଭୁଲିଗଲେ ସରକାର ! - koraput tourist place

ପର୍ଯ୍ୟଟକଙ୍କୁ ଅପେକ୍ଷା କରିଛି ଐତିହାସିକ ପର୍ଯ୍ୟଟନସ୍ଥଳୀ 'ଭୀମଖୋଜ' । ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ରାମାୟଣ ଓ ମହାଭାରତର ଗୁରୁତ୍ବପୂର୍ଣ୍ଣ ଘଟଣାବଳୀ ସହ ସମ୍ପୃକ୍ତ କୋରାପୁଟ ଜିଲ୍ଲାର ଦଣ୍ଡକାରଣ୍ୟ ଅଞ୍ଚଳରେ ଲୁଚି ରହିଛି ଏହି ମନ୍ତ୍ରମୁଗ୍ଧକର ପର୍ଯ୍ୟଟନସ୍ଥଳୀ ।

ଲୋକଲୋଚନର ଆଢୁଆଳରେ ପର୍ଯ୍ୟଟକଙ୍କୁ ଖୋଜୁଛି ଭୀମଖୋଜ
ଲୋକଲୋଚନର ଆଢୁଆଳରେ ପର୍ଯ୍ୟଟକଙ୍କୁ ଖୋଜୁଛି ଭୀମଖୋଜ

By

Published : Feb 5, 2021, 5:49 PM IST

କୋରାପୁଟ: ପର୍ଯ୍ୟଟକଙ୍କୁ ଅପେକ୍ଷା କରିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଐତିହାସିକ ପର୍ଯ୍ୟଟନସ୍ଥଳୀ 'ଭୀମଖୋଜ' । ରାମାୟଣ ଓ ମହାଭାରତର ଗୁରୁତ୍ବପୂର୍ଣ୍ଣ ଘଟଣାବଳୀ ସହ ସମ୍ପୃକ୍ତ କୋରାପୁଟ ଜିଲ୍ଲାର ଦଣ୍ଡକାରଣ୍ୟ ଅଞ୍ଚଳରେ ଲୁଚି ରହିଛି ଏହି ମନ୍ତ୍ରମୁଗ୍ଧକର ପର୍ଯ୍ୟଟନସ୍ଥଳୀ । ବଣ ଜଙ୍ଗଲ ମଧ୍ୟରେ କୁଳୁକୁଳୁ ନାଦରେ ବହି ଯାଉଛି ଟିକିଟିକି ଦୁଇଟି ଝରଣା । ଆଉ ଝରଣାର ତଳ ଭାଗରେ ରହିଛି ଛୋଟ ଛୋଟ ଜଳପ୍ରପାତ । ଏଠାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ଭୀମଖୋଜ ।

ଲୋକଲୋଚନର ଆଢୁଆଳରେ ପର୍ଯ୍ୟଟକଙ୍କୁ ଖୋଜୁଛି ଭୀମଖୋଜ

ବିଶ୍ବାସ ଅଛି ଯେ, ମହାଭାରତରେ ବର୍ଣ୍ଣିତ ପାଣ୍ଡବଙ୍କ ଅଜ୍ଞତାବାସ ସମୟରେ ଭୀମ ଏହି ଜଳକୁ ପଥରବାଡ଼ ଦେଇ ବନ୍ଧ ବାନ୍ଧିଥିଲେ । ଏହି ପଥର ବନ୍ଧ ଓ ବିରାଟ ପଥର ଚଟାଣ ଉପରେ ଏକ ବିରାଟ ପାଦଚିହ୍ନ ରହିଛି । ଏହାକୁ ଭୀମଙ୍କ ପାଦଚିହ୍ନ ଭାବେ ମାନ୍ୟତା ଦେଇ ସ୍ଥାନୀୟ ଲୋକେ ଏହି ସ୍ଥାନକୁ ଭୀମଖୋଜ ବୋଲି ନାମିତ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ନଜର ଆଢୁଆଳରେ ରହିଛି ଏହି ପର୍ଯ୍ୟଟନସ୍ଥଳୀ ।


ଏଠାକୁ ଯିବାକୁ ହେଲେ ବୈପାରିଗୁଡ଼ାରୁ ବାହାରି ମାଲକାନଗିରି ଅଭିମ୍ମୁଖେ ଯାଉଥିବା ରାଜପଥରେ ଟାଙ୍ଗିଣିଗୁଡା ଠାରେ ବାମ ମୋଡ ନେବେ । ଏହାପରେ ଦଶମନ୍ତପୁର ଗାଁ । ଆଉ ତା ପାଖରେ ଏକ ଛୋଟ ଗାଁ ମୂଷାଡ଼ଙ୍ଗର । ଏହି ଗାଁ ପାଖ ଡଙ୍ଗର ଦେଇ ଚାଲି ଚାଲି ଗଲେ ପଡିବ 'ଭୀମଖୋଜ' । ସରକାର ଏହି ଜଳଧାରା ଉପରେ କୌଣସି ଜଳବିଦ୍ୟୁତ ଯୋଜନାକୁ ରୂପ ଦେବାକୁ ଯୋଜନା ନକରି ପର୍ଯ୍ୟଟନ ବିଭାଗ ଦ୍ଵାରା ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ଆବଶ୍ୟକ ବୋଲି ମତ ରଖିଛନ୍ତି ଆଦିବାସୀ ଜନଜୀବନର ଗବେଷକ । ତେବେ ଏହି ପର୍ଯ୍ୟଟନ ସ୍ଥଳୀ ବିଷୟରେ ଅବଗତ ହେବା ପରେ ଏହି ସ୍ଥାନକୁ କିପରି ପର୍ଯ୍ୟଟନ ସ୍ଥଳୀର ମାନଚିତ୍ରରେ ସ୍ଥାନିତ କରାଯାଇପାରିବ ସେ ଦିଗରେ ପ୍ରୟାସ କରିବେ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମା ଜଣାଇଛନ୍ତି ।


ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ରହିଛି ଏପରି ଅନେକ ପର୍ଯ୍ୟଟନସ୍ଥଳୀ । ଯାହା ଲୋକଲୋଚନକୁ ଆସି ପାରୁନାହିଁ । ସରକାର ଏପରି ପର୍ଯ୍ୟଟନସ୍ଥଳୀ ଗୁଡିକ ଚିହ୍ନଟ କରି ଏହାର ଉନ୍ନତିକରଣ କଲେ ରାଜସ୍ବ ବଢିବା ସହ ଅଞ୍ଚଳର ଉନ୍ନତି ହେବ ନିଶ୍ଚୟ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details