କୋରାପୁଟ: ପ୍ରତ୍ୟେକ ଶିଶୁ ସେମାନଙ୍କୁ ପ୍ରଭାବିତ କରୁଥିବା ସମସ୍ତ ବିଷୟ ସମ୍ପର୍କରେ ନିଜ ମତାମତ ଉପସ୍ଥାପନ କରିବାର ଦକ୍ଷତା ରହିଛି ଓ ଏହା କରିବା ପାଈଁ ସେମାନଙ୍କ ଅଧିକାର ରହିଛି । ଶିଶୁର ଶୈକ୍ଷିକ ପ୍ରଗତି ନିମନ୍ତେ ଶ୍ରେଣୀଗୃହରେ ପାଠ୍ୟ ପୁସ୍ତକରୁ ଜାଣୁଥିବା ବିଷୟ ଗୁଡିକୁ ଶିଶୁ ସୁଲଭ ଭାବନା ଓ ସାମର୍ଥ୍ୟକୁ ନେଇ ଛୋଟ ଛୋଟ ପ୍ରୟୋଗ କରିବା ଦିଗରେ ବିଦ୍ୟାଳୟ କ୍ୟାବିନେଟ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ନେଇଛି । ପିଲାଙ୍କ ମଧ୍ୟରେ ଥିବା ଏହି ସମ୍ଭାବନାକୁ ଆଧାରକାରୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜାରିପୁଟ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ କ୍ୟାବିନେଟର ନୂତନ କର୍ମକର୍ତ୍ତାଙ୍କୁ ବିଦ୍ୟାଳୟର ପିଲାମାନେ ନିର୍ବାଚିତ କରିଛନ୍ତି ।
ବିଦ୍ୟାଳୟରେ ପିଲାଙ୍କୁ ନେଇ ଗଠିତ ଏହି ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିକ୍ଷା, ସ୍ବାସ୍ଥ୍ୟ, ଜଳ ଓ ପରିମଳ, ପରିବେଶ, କ୍ରୀଡା ଓ ସଂସ୍କୃତି, ସୂଚନା ଓ ଶିଶୁ ସାମ୍ବାଦିକତା ମନ୍ତ୍ରୀ ନିର୍ବାଚିତ ହେବା ସହ ପ୍ରତିଟି ବିଭାଗର ଉପମନ୍ତ୍ରୀ ମଧ୍ୟ ରହିଛନ୍ତି । କୋରାପୁଟ ଜିଲ୍ଲାରେ ବହୁଳ ଭାବେ ଆଦୃତ ଏହି ପ୍ରକ୍ରିୟା ପ୍ରତିବର୍ଷ ଗଣତାନ୍ତ୍ରିକ ପଦ୍ଧତିରେ ହୋଇଥାଏ । ପିଲାଙ୍କ ମଧ୍ୟରେ ନେତୃତ୍ତ୍ବ ନେବାର ସାହସ, ଅଧିକାରକୁ ସାବ୍ୟସ୍ତ କରୁଥିବା ସମୟରେ ଅନ୍ୟର ଅଧିକାରକୁ ସମ୍ମାନ ଦେବାର ଗୁରୁ ଦାୟିତ୍ବ, ନିଜ ଓ ଅନ୍ୟମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ଘଟଣାବଳୀ ସମ୍ପର୍କରେ ଜାଣିବା ଓ ଜଣାଇବା, ଉପସ୍ଥିତ ସମସ୍ତ ମଞ୍ଚରେ ନିଜକୁ ପରିପ୍ରକାଶ କରିବାକୁ ଚେଷ୍ଟା କରିବା ଭଳି ସକାରାତ୍ମକ ଭାବକୁ କ୍ରିୟାଶୀଳ କରିଥାଏ ।