କୋରାପୁଟ:ଜନତାଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ଲୋକ କିପରି ମୌଳିକ ସୁବିଧା ପାଇବେ ଏ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ହେଲେ ଆଜି ବି କିଛି ଲୋକ ସରକାରଙ୍କ ସୁବିଧାରୁ ବଞ୍ଚିତ ହୋଇଛନ୍ତି । 1 ବର୍ଷ ହେବ ସୂର୍ଯ୍ୟାସ୍ତ ପରେ କୋଟିଆ ଉପତ୍ୟକାରେ କୋଟିଆ ପଞ୍ଚାୟତ ନିକଟସ୍ଥ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ରାଇପାଡୁ, ବନାମ, ଓ ଦୀଗୁ ଗବଦର ଗାଁକୁ ଅନ୍ଧକାରର ଭୟ ଗ୍ରାସ କରି ଆସୁଛି ।
ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଏହି ଗ୍ରାମ କୋଟିଆ ପଞ୍ଚାୟତର ତାଡିବାଲାସାର ଅନତି ଦୂରରେ ଥିଲେ ବି ଏହି ଗ୍ରାମଟି କୋଟିଆ ପଞ୍ଚାୟତର 21 ଟି ଗ୍ରାମ ଭଳି ଓଡିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦରେ ଛନ୍ଦି ହୋଇନାହିଁ । ଏହି ଗ୍ରାମ ସହିତ ସୀମାଗଡା ଓ ଏଟିଙ୍ଗ ଗବଦର ଗାଁ ମଧ୍ୟ ଗତ ବର୍ଷେ ହେବ ରାତିର ଅନ୍ଧକାର ମଧ୍ୟରେ ହଜି ଯାଉଥିବା ଦୀଗୁ ଗବଦର ବାସିନ୍ଦା ଜଣାଇଛନ୍ତି । ପାହାଡ଼ ପର୍ବତ ଘେରା ଏହି ଅଞ୍ଚଳରେ ତାଡିବାଲାସା ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ଦ୍ବାରା ବିଜୁଳି ସଂଯୋଗ କରାଯାଇଥିବା ବେଳେ ଓଡିଶା ସରକାରଙ୍କ ବିଜୁଳି ଏ ଯାଏଁ ଦୀଗୁ ଗବଦର ପର୍ଯ୍ୟନ୍ତ ଆସି ପାରିନାହିଁ । ତେବେ ଓଡିଶା ଓ ଆନ୍ଧ୍ରପ୍ରଦେଶର ବିଦ୍ୟୁତ ସେବା ପାଇବା ଠାରୁ ସମଦୂରତା ରହିଥିଲେ ମଧ୍ୟ ଉଭୟ ରାଜ୍ୟ ଦୀଗୁ ଗବଦରକୁ ସୁଦୂର ଝରଣାରୁ ପୃଥକ ପୃଥକ ଭାବେ ପାଇପ ଯୋଗେ ଝରଣା ଜଳ ଆଣି ପହଞ୍ଚାଇ ଦେଉଛନ୍ତି ।