ଓଡିଶା

odisha

ETV Bharat / state

ସ୍ବାଦ ସହ ଜୀବିକା ଯୋଗାଉଛି 'ପିରି ଛତୁ'

ଛୁଆଠାରୁ ନେଇ ବୁଢା ପର୍ଯ୍ୟନ୍ତ ସଭିଏଁ ଭଲ ପାଆନ୍ତି ଛତୁ । ତେବେ ଏଭଳି ଏକ ସୁସ୍ବାଦୁ ଖାଦ୍ୟକୁ ନେଇ ବର୍ତ୍ତମାନ ଜୀବନ ଜୀଇଁବାର ଏକ ନୂଆ ରାହା ଖୋଜିପାଇଛନ୍ତି ବୋରିଗୁମ୍ମା ଅଞ୍ଚଳ କାମରା ଗାଁର ମହିଳାମାନେ ।

By

Published : Mar 12, 2019, 10:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ସମୟ ସହ ଯେତେ ଆଧୁନିକ ଖାଦ୍ୟ ବଜାରକୁ ଆସୁଥିଲେ ମଧ୍ୟ କେତେକ ଦେଶୀ ଖାଦ୍ୟର ସ୍ବାଦ ଏହାଠାରୁ ସବୁବେଳେ ଥାଏ ଢେର ଉପରେ । ଆଉ ଦେଶୀ ଖାଦ୍ୟର ଯଦି କଥା ପଡେ, ତେବେ ଏହି ତାଲିକାରେ ସବୁଠାରୁ ଉପରେ ରୁହେ ଛତୁର ସ୍ବାଦ । ଛୁଆଠାରୁ ନେଇ ବୁଢା ପର୍ଯ୍ୟନ୍ତ ସଭିଏଁ ଭଲ ପାଆନ୍ତି ଛତୁ । ତେବେ ଏଭଳି ଏକ ସୁସ୍ବାଦୁ ଖାଦ୍ୟକୁ ନେଇ ବର୍ତ୍ତମାନ ଜୀବନ ଜୀଇଁବାର ଏକ ନୂଆ ରାହା ଖୋଜିପାଇଛନ୍ତି ବୋରିଗୁମ୍ମା ଅଞ୍ଚଳ କାମରା ଗାଁର ମହିଳାମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସେ ବାହାଘର ହେଉ କି ବ୍ରତଘର, ସବୁଠାରେ ଛତୁର ସ୍ବାଦ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଥାନ୍ତି କାମରା ଗାଁର ମହିଳା ଛତୁ ବ୍ୟବସାୟୀମାନେ । ତେବେ ପ୍ରତିଦିନ ମା' ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ ପାଖରେ ଗ୍ରାହକଙ୍କ ଭିଡ ଜମିବା ଆଗରୁ ସୂର୍ଯ୍ୟର ପ୍ରଥମ କିରଣର ସ୍ପର୍ଶ ପାଇଁ ବ୍ୟାକୁଳ ପ୍ରାୟ ଛତୁ କଢି ସବୁ ନିଜ ନିଜ ନଡାର ଶେଯରୁ ଟିକି ମୁଣ୍ଡ କାଢି ପ୍ରସ୍ତୁତ ହୋଇଯାଆନ୍ତି । ଯାହା ନା ଯେ କେବଳ ଦେଖିବାକୁ ସୁନ୍ଦର ବରଂ ସ୍ବାଦରେ ମଧ୍ୟ ବହୁ ସୁସ୍ବାଦୁ ହୋଇଥାଆନ୍ତି ।

ଏହି ଛତୁ ବ୍ୟବସାୟ ଆଜିର ନୁହେଁ । ଦୀର୍ଘ ତିନିରୁ ଚାରି ବର୍ଷର । ମାତ୍ର ଦୁଇ ତିନୋଟି ଛତୁ ବେଡ୍‌ରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଆଜି ତିନୋଟି ଭିନ୍ନ ସ୍ଥାନରେ କରାଯାଉଥିବା 300ରୁ ଊର୍ଦ୍ଧ୍ବ ବେଡ୍‌ ବିଶିଷ୍ଟ ବ୍ୟବସାୟରେ ପରିଣତ ହୋଇଛି । ତେବେ ଗୋଟିଏ ବେଡ୍‌ ପିଛା 50 ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଥିରୁ ଲାଭ ମିଳେ ପ୍ରାୟ 200ରୁ 300 ଟଙ୍କା । ଏଥିସହ ମଞ୍ଜିରୁ ବିକ୍ରି ଯୋଗ୍ୟ ଛତୁ ପ୍ରସ୍ତୁତ ହେବା ପାଇଁ ଲାଗିଯାଏ ପାଖାପାଖି ମାସେ ସମୟ ।

ଜୀବିକା ମିଶନର ସହାୟତାରେ ଏକାଠି ହୋଇ ସ୍ବୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ କରିଛନ୍ତି ଗାଁର ମହିଳାମାନେ । ବ୍ୟବସାୟ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ଅର୍ଥ ମିଳିବା ସେମାନଙ୍କ ପାଇଁ ବହୁ କଷ୍ଟକର ହୋଇଥିଲେ ସୁଦ୍ଧା ଜୀବିକା ମିଶନର ସହାୟତାରେ ଏହା ସମ୍ଭବ ହୋଇପାରିଛି । ବ୍ୟାଙ୍କରୁ ଲୋନ ଆଣି ନିକଟସ୍ଥ ଘରୋଇ ତାଲିମ କେନ୍ଦ୍ରରେ ଦୁଇ ଦିନର ତାଲିମ ନେବା ପରେ ମହିଳାମାନେ ଏବେ ବେଶ୍‌ ଦୁଇ ପଇସା ରୋଜଗାରକ୍ଷମ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ଏସ୍‌ଏଚ୍‌ଜି ମହାସଂଘ କର୍ମକର୍ତ୍ତା ଶକୁନ୍ତଳା ଗୌଡ ।

ତେବେ ମିଶନ ତରଫରୁ ମହାସଂଘକୁ ପ୍ରଦାନ କରାଯାଇଥିବା କାର୍ଯ୍ୟକାରୀ ଅର୍ଥ ଯୋଗୁଁ ବର୍ତ୍ତମାନ ମହିଳାମାନେ ସହଜ କିସ୍ତିରେ ଋଣ ପାଇପାରୁଥିବା ସୂଚନା ଦେଇଛନ୍ତି ଜିଲ୍ଲା ପ୍ରକଳ୍ପ ପରିଚାଳିକା ସୁଶ୍ମିତା ସାମନ୍ତରାୟ । ତେଣୁ ଏହି ବ୍ୟବସାୟ ବର୍ତ୍ତମାନ ଗାଁର ମହିଳାମାନଙ୍କ ଆତ୍ମବିଶ୍ବାସ ବଢାଇବା ସହ ସେମାନଙ୍କୁ ଆତ୍ମ ନିର୍ଭରଶୀଳ ହେବାରେ ଯେ ସହାୟକ ହୋଇଛି ସେଥିରେ ତିଳେ ହେଲେ ସନ୍ଦେହ ନାହିଁ ।

ଅନ୍ୟପଟେ ସ୍ବୟଂ ସହାୟକ ଗୋଷ୍ଠୀ ପ୍ରତିଦିନର ବଜାର ଅବସ୍ଥା ଓ ଏହାକୁ ନେଇ ନିଜ ନିଜ ଛତୁ ବ୍ୟବସାୟର ସାମୂହିକ ଆକଳନ କରିଥାଏ । ଯାହା ଭବିଷ୍ୟତ କାର୍ଯ୍ୟପନ୍ଥାର ଯୋଜନା କରି ଆସୁଥିବା ଯୋଗୁଁ ଛତୁ ଚାଷର ସଫଳତାକୁ ମହିଳାଙ୍କ ଭିତରେ ଆସିଥିବା ସ୍ବୟଂସିଦ୍ଧ ହେବାର ସାମର୍ଥ୍ୟର ମୂଳ କାରଣ ବୋଲି ଗ୍ରାମବାସୀ ମତ ଦେଇଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details