କୋରାପୁଟ: ମାତ୍ର ଦଶ ବର୍ଷ ବୟସର ଗୋଡ ହରାଇ ଅନ୍ୟ ଉପରେ ନିର୍ଭର କରି ବାହାରକୁ ଯାଉଥିଲା । ଏଭଳି ସମୟରେ ସହାୟତାର ହାତ ବଢାଇଛି କୋରାପୁଟ ସ୍ବେଚ୍ଛସେବୀ ସଂଗଠନ 'ଏକତା' । ଏବେ ସେ ନିଜେ କୃତ୍ରିମ ଗୋଡ ସାହାଯ୍ୟରେ ନିଜ କାର୍ଯ୍ୟ ପାଇଁ ସହାୟକ ହୋଇପାରିବ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମୂଜାଙ୍ଗ ପଞ୍ଚାୟତ ଶୁକ୍ରିଗୁଡା ଗାଁରେ ।
ତନ୍ମୟ ସାଉଁନ୍ତା ତା ଗୋଡ ଫେରିପାଇଛି । ସ୍କୁଲ ଖୋଲିଲେ ନିଜେ ଚାଲିଚାଲି ସ୍କୁଲକୁ ଯିବ । ବାପାମାଙ୍କ କଷ୍ଟ ଲାଘବ ହେବ ବୋଲି ଏକତା ସଙ୍ଗଠନରେ କାର୍ଯ୍ୟକରୁଥିବା ସ୍ବେଚ୍ଛାସେବୀ ସବିତା କୂଳଦୀପ କହିଛନ୍ତି । ଗତ ଦୁଇବର୍ଷ ପୂର୍ବେ 10 ବର୍ଷର ଛାତ୍ର ତନ୍ମୟ ସାଉଁନ୍ତ ସ୍କୁଲରେ ପାଠ ପଢିବାକୁ ଯାଇଥିବାବେଳେ ବିଦ୍ୟୁତ ସଂଶ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହୋଇଥିଲା । ହାତ ଦୁଇଟିର କଚଟି ନିକଟରେ ଅଚଳ ପ୍ରାୟ ହୋଇପଡିଥିବାବେଳେ ଡାହାଣ ଗୋଡଟିକୁ ଅସ୍ତ୍ରୋପଚାର କରି କାଟିବାକୁ ପଡିଥିଲା । ସେହି ଦିନଠାରୁ ବାପା ମା ତାକୁ ବୋହି ବୋହି ସ୍କୁଲକୁ ନେବାଆଣିବା କରିଆସୁଛନ୍ତି । ତେବେ ସେହି ଅଞ୍ଚଳରେ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂଗଠନ ଏକତା ଏ କଥା ଜାଣିବାକୁ ପାଇଥିଲେ । ତନ୍ମୟର କଟାଯାଇଥିବା ଖଣ୍ଡିତ ଗୋଡ଼ର ମାପ ଓ ଅବସ୍ଥାକୁ ପରୀକ୍ଷା କରି ତାକୁ କୃତ୍ରିମ ଅଙ୍ଗ ପୁନଃରୋପଣ ଯୋଜନାରେ ସାମିଲ କରିଥିଲେ ।