କୋରାପୁଟ:ଆଉ କିଛି ଦିନ ଯାଇଥିଲେ ଛାତ୍ର ଜଣକ କଲେଜ ମାଟି ମାଡ଼ିଥାନ୍ତା । ହେଲେ ସମସ୍ତ ଆଶା ପାଣି ଫୋଟକା ପରି ମିଳେଇ ଯାଇଛି । ମାଟ୍ରିକ ପରୀକ୍ଷା ଦେଉଥିବା ସମୟରେ ଛାତ୍ରର ମୃତ୍ୟୁ ଘଟିଛି । ଜିଲ୍ଲାର ଦାମନଯୋଡି ନିକଟ ମାଥାଲପୁଟ ସ୍ଥିତ ମାଲୁ ସାଉଁନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୂର୍ବରୁ ଛାତ୍ରର ହୃତପିଣ୍ଡରେ ସମସ୍ୟା ଥିବା ଜଣାପଡ଼ିଛି ।
ମୃତ ଛାତ୍ରର ନାମ କୋରାପୁଟ ବ୍ଲକ ଅନ୍ତର୍ଗତ ଉମୁରି ଗ୍ରାମର ନାବାଳକ କୁନା ପୂଜାରୀ । ଦାମନଯୋଡି ନିକଟ ମାଥାଲପୁଟ ସ୍ଥିତ ମାଲୁ ସାଉଁନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟର କୁନା ପାଠ ପଢୁଥିଲା । ଆଜି ସ୍ଥାନୀୟ ସରସ୍ବତୀ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିଲା । କୁନା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ବେଳେ ହଠାତ ମୁର୍ଚ୍ଛା ହୋଇଯାଇଥିଲା । ତା ମୁହଁ ଉପରେ ପାଣି ଛାଟିଲା ପରେ ମଧ୍ୟ କୁନାର ଚେତା ନଫେରିବା ଯୋଗୁଁ ତାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ନାଲକୋ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ।
ତେବେ ସେଠାରେ ଡାକ୍ତର ଶରୀର ପରୀକ୍ଷା କରି କୁନା ମୃତ୍ୟୁବରଣ କରିଥିବା ଘୋଷଣା କରିଥିଲେ ବୋଲି କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକକହିଛନ୍ତି । ପରୀକ୍ଷା କେନ୍ଦ୍ରରେ ଛାତ୍ରର ମୃତ୍ୟୁ ଘଟଣାର ଖବର ପାଇ ଦାମନଯୋଡି ପୋଲିସ ମେଡିକାଲ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ଆରମ୍ଭ କରିଛି । କୁନାର ମୃତଦେହକୁ କୋରାପୁଟ ଆଣି ମୃତ୍ୟୁର କାରଣ ସମ୍ପର୍କରେ ଅଧିକ ଜାଣିବା ପାଇଁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ତେବେ କୁନା ଆଗରୁ ମଧ୍ୟ ୨ଥର ମୁର୍ଚ୍ଛା ହୋଇଯାଇଥିଲା ଓ ତାକୁ ଲମତାପୁଟ ସ୍ଥିତ ଆଶାକିରଣ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ବୋଲି କୁନାର ବାପା ରାମ ପୁଜାରୀ କହିଛନ୍ତି ।