ଓଡିଶା

odisha

ETV Bharat / state

ଶିଶୁମୃତ୍ୟୁକୁ ନେଇ କୁନ୍ଦୁଲି ଡାକ୍ତରଖାନାରେ ଉତ୍ତେଜନା - ସେମିଳିଗୁଡା ବ୍ଲକ

କୁନ୍ଦୁଲି ଡାକ୍ତରଖାନାରେ ଶିଶୁମୃ୍ତ୍ୟୁ ଅଭିଯୋଗ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଡାକ୍ତରଙ୍କ ଅବହେଳା କାରଣରୁ ଚଉଦ ଦିନର ଶିଶୁ ମୃ୍ତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jul 31, 2019, 7:51 PM IST

କୋରାପୁଟ: ଚିକିତ୍ସା ଅବହେଳା କାରଣରୁ 14 ଦିନର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକ ଓ ଗ୍ରାମବାସୀ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କୁ ଘେରାଉ କରିଛନ୍ତି । ସେମିଳିଗୁଡା ବ୍ଲକ ଅର୍ନ୍ତଗତ ମାର୍ଲା ଲେଞ୍ଜିଗୁଡା ଗ୍ରାମର ଶୁଭଦ୍ରା ଓ ପ୍ରହଲ୍ଲାଦ ସଗରିଆଙ୍କ ଶିଶୁ । ତେବେ ଏହାପରେ ଡାକ୍ତର କୃଷ୍ଣ ଚନ୍ଦ୍ର ପରିଡା 20 କିଲୋମିଟର ଦୂର ପଟ୍ଟାଙ୍ଗି ପୋଲିସ ଷ୍ଟେସନରେ ଆଶ୍ରୟ ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ମୃତ ଶିଶୁର ପରିବାର ବର୍ଗଙ୍କ କହିବାନୁଯାୟୀ, ଦୁଇଦିନ ପୂର୍ବେ ଶିଶୁର ଗୋଡ଼ରେ ସିରିଞ୍ଜ ଦିଆଯାଇଥିବା ସ୍ଥାନରେ ଫୁଲିଯିବା କାରଣରୁ କୁନ୍ଦୁଲିସ୍ଥିତ ଡାକ୍ତରଖାନାରେ ଦେଖାଇଥିଲେ । ଡାକ୍ତର ସିରପ୍ ପିଆଇବାକୁ କହି ଫୁଲା ସ୍ଥାନରେ ବରଫ ଘଷିବା ପାଇଁ କହିଥିଲେ । ଏହାପରେ ମଧ୍ୟ ଗୋଡଫୁଲା ନକମିବାରୁ ଶିଶୁଟିକୁ ପୁଣି ଥରେ ଡାକ୍ତରଖାନା ଆଣିଥିଲେ ଓ ସେଠାରେ ତା'ର ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକେ ଡାକ୍ତରଙ୍କୁ ପ୍ରଶ୍ନ କରିବାରୁ ଶିଶୁର ଛାତିରେ ଅସୁବିଧା ଥିବା କାରଣରୁ ମୃତ୍ୟୁ ହୋଇଛି ବୋଲି କହିଥିଲେ ଡାକ୍ତର । ରୋଗ ଚିହ୍ନଟ କରି ନପାରି ଜୀବନ ସହ ଖେଳୁଥିବା ଅଭିଯୋଗ କରି ଗ୍ରାମବାସୀ ଉତ୍ୟକ୍ତ ହୋଇଉଠିଥିଲେ ।

ଅନ୍ୟପକ୍ଷେ ଡାକ୍ତର ଥାନାର ଆଶ୍ରୟ ନେବା ପରେ ସୁନାବେଢା ଏସଡିପିଓ ନିରଞ୍ଜନ ବେହେରା ସେଠାରେ ପହଞ୍ଚିଥିଲେ । ଏସଡିପିଓଙ୍କ କହିବାନୁସାରେ, ଡାକ୍ତର ପରିବାର ଲୋକଙ୍କୁ ଶିଶୁଟିର ଓଜନ ଓ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବା ଦର୍ଶାଇ କୋରାପୁଟ ସ୍ଥିତ ମେଡିକାଲ କଲେଜ ଡାକ୍ତରଖାନାକୁ ନେଇଯିବା ପାଇଁ କହିଥିଲେ କିନ୍ତୁ ପରିବାର ଲୋକ ଘରକୁ ନେଇଯାଇଥିବାରୁ ମୃତ୍ୟୁ ହୋଇଛି । ତେବେ ସେମିଲିଗୁଡା ତହସିଲଦାରଙ୍କ ମାଧ୍ୟମରେ ପରିବାରଲୋକଙ୍କୁ 10 ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଗ୍ରାମବାସୀ ଶିଶୁଟିର ମୃତଦେହକୁ ଡାକ୍ତରଖାନାରେ ରଖି ଡାକ୍ତରଙ୍କ ଫେରିଵାକୁ ଅପେକ୍ଷା କରିଛନ୍ତି ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details