କୋରାପୁଟ: ଲକ୍ଡାଉନ୍ ଲାଗି କୋରାପୁଟ ସହରର ସମସ୍ତ ବଜାର ବନ୍ଦ ରହିଛି । କୋରୋନା ଆତଙ୍କରେ ଗାଁରୁ ସହରକୁ ଲମ୍ବି ଯାଇଥିବା ରାସ୍ତାରେ ଗ୍ରାମବାସୀଙ୍କ ଚେତାବନୀ ଭରା ଫାଟକ ଓ ସହର ମଧ୍ୟରେ ସରକାରୀ ନିର୍ଦ୍ଦେଶକୁ ମାନି ଲୋକେ ଚଳପ୍ରଚଳ ହେଉନାହାଁନ୍ତି । ହେଲେ ଏହାରି ଭିତରେ କ୍ଷୁଦ୍ର ଓ ନାମମାତ୍ର ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି ।
ଚାରିଆଡେ ଲକ୍ଡାଉନ୍ର ପ୍ରଭାବ: ବାକି ଶୁଝିନପାରିବା ଚିନ୍ତାରେ ବୁଲାବିକାଳୀ ଗାଁ ଗଣ୍ଡାରେ ଲକଡାଉନ ସ୍ଥିତିରେ ଦିନ କାଟୁଥିବା ଏହିପରି ମଣିଷଙ୍କ ଜୀବନଯାତ୍ରା ସମ୍ପର୍କରେ ଜାଣିବା ପାଇଁ ପୋଲିସର ଚେତାବନିକୁ ଦୋହରାଉଥିବା ମଟରଗାଡି ଓ ଛାପର ଗ୍ରାମରେ ଗ୍ରାମବାସୀ ଠିଆ କରାଇଥିବା ଅସ୍ଥାୟୀ ଫାଟକକୁ ଅତିକ୍ରମ କରି ଆମେ ପହଞ୍ଚିଥିଲୁ କୋରାପୁଟ ବ୍ଲକର ଉମୁରି ଗ୍ରାମରେ । ଏହି ଗାଁରୁ କିଛି ଚାଷୀ କୋରାପୁଟ ବଜାରରେ ପରିବା ବିକ୍ରି କରନ୍ତି ତ ଅର୍ଚିତ ମାଳି ଭଳି କିଛି ବ୍ୟକ୍ତି ଛେଳି ବ୍ୟବସାୟ କରନ୍ତି ।
ବିଶେଷ କରି ଏହି ଗାଁରେ ତିଆରି ହେଉଥିବା ମୁଢିମୁଆଁ କୋରାପୁଟର ଘରେ ଘରେ ରତ୍ନା ମାଳୀ ଓ ଭବ ମାଳୀ ଭଳି କିଛି ମହିଳାଙ୍କୁ ପରିଚିତ କରାଇଛି । ସେମାନଙ୍କ ହସ ହସ ମୁହଁରେ ମୁଆଁ କିଣିବା ପାଇଁ ଅନୁରୋଧ କଲାବେଳେ ଲୋକେ ସେମାନଙ୍କୁ ନିଜ ପରିବାରର ଲୋକ ଭଳି ଭାବି ନିଅନ୍ତି । ଆଜି ଏମାନଙ୍କ ମଧ୍ୟରୁ କାହାରି ମୁହଁରେ ଚେନାଏ ବି ହସ ନାହିଁ ।
କୋରୋନାର ଭୟ ଯେତେବେଳେ ସମଗ୍ର ବିଶ୍ବକୁ ଗ୍ରାସ କରିଛି ସେତିକିବେଳେ ଏହି ଛୋଟ ଗାଁଟି କେମିତି ବାଦ ପଡ଼ିଥାନ୍ତା । ରତ୍ନା ମାଳୀଙ୍କ ଆଖିକୁ ଠିକ ଦେଖାଯାଏ ନାହିଁ । କିନ୍ତୁ ଜୀବନ ବଞ୍ଚିବାର ଅନ୍ୟ କୌଣସି ରାହା ନଥାଇ ଏହି ଘରକୁ କୁନି ବୋହୁଟିଏ ହୋଇ ଆସିବା ଦିନଠୁ ଆଜି ବୟସର ଅପରାହ୍ନ, ଶରୀରକୁ ଶିଥିଳ କରିଆସୁଥିବାବେଳ ପର୍ଯ୍ୟନ୍ତ ମୁଢିମୁଆଁ ତିଆରି କରି କୋରାପୁଟ ସହରରେ ବିକ୍ରି କରିଆସିଛନ୍ତି । କିନ୍ତୁ ଆଜି ବଜାର ବନ୍ଦ । ଘର ଘର ବୁଲି ବିକିବା ପାଇଁ କେବଳ ସକାଳେ କିଛି ଘଣ୍ଟା ଜନତାଙ୍କ ଚଳପ୍ରଚଳ ପାଇଁ ଖୋଲା ରହୁଥିବା ଯୋଗୁଁ ଗାଁରୁ କୋରାପୁଟକୁ ଚାଲି ଚାଲି ଯାଇ ଘର ଘର ବୁଲି ମୁଢି ମୁଆଁ ବିକ୍ରି କରିବା ଅସମ୍ଭବ ହୋଇପଡିଛି ।
ଯାହାକି ରତ୍ନା ମାଳୀ ଓ ଭବ ମାଳୀଙ୍କ ଭଳି ମହିଳାଙ୍କୁ ଚିନ୍ତାଗ୍ରସ୍ତ କରିଦେଇଛି । ଗତ ସପ୍ତାହରେ ସେମାନେ ସାହୁକାର ନିକଟରୁ ମୁଢି ଓ ଗୁଡ ଧାର ସୂତ୍ରରେ ଆଣିଥିଲେ । ଗୁଡର ପାଗ କରି ମୁଢିର ମୁଆଁ ତିଆରି କରି ବଜାର ଯିବା ପାଇଁ ପ୍ରସ୍ତୁତ ହେଲାବେଳକୁ କୋରୋନାର ପ୍ରଭାବକୁ ରୋକିବା ପାଇଁ ସମସ୍ତଙ୍କୁ ଘର ଭିତରେ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଲେ । ହଜାର ହଜାର ଟଙ୍କାର ମୂଳଧନ ମୁଆଁ ଭିତରେ ବାନ୍ଧି ହୋଇ ରହିଗଲା । ସରକାରଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଉଥିବା ଏହି ମହିଳାମାନେ ସହରର ସାହୁକାର ପାଖରେ ନିଜେ କରିଥିବା ବାକି କିପରି ସୁଝିବେ, ସେହି ଚିନ୍ତାରେ ଘାରି ହୋଇଛନ୍ତି ।
ସେହିପରି ଅର୍ଚିତ ମାଳୀ ଗାଁ ଗାଁ ବୁଲି ଛେଳି କିଣି ଆଣିଥିଲେ । ହାଟରେ ବିକିବାକୁ ପ୍ରସ୍ତୁତ ହେଲାବେଳକୁ ହାଟ ବନ୍ଦ ହେବାର ଘୋଷଣା ତାଙ୍କୁ ଏକ ଶକ୍ତ ଝଟକା ଦେଇଛି । ସରକାରଙ୍କ ସହଯୋଗ ମିଳିଲେ ଜୀବନ ପୁଣିଥରେ ହସିଉଠିବାର ଆଶା ରଖିଛନ୍ତି ସଭିଏଁ ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ