କୋରାପୁଟ: ନୂଆ ପରିଚୟ ସହ ସ୍ପେନ ଯାତ୍ରା କରିଛି କୋରାପୁଟର ଅଲୋଡା ଆଦି । ଦିନେ ରାସ୍ତାକଡରେ ପଡିଥିବା ଆଦି ଆଜି ପାଲଟିଛି ବିଦେଶୀ ଦମ୍ପତିଙ୍କ ଆଖିର ତାରା, ଖୁସିର ଠିକଣା । ଦେଖୁନାହାଁନ୍ତି ତା ମୁହଁରେ ଟିକିଏ ହସ ଦେଖିବା ପାଇଁ କେମିତି ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି ଏଇ ନୂଆ ବାପା-ମା ।
ଗତ 2 ବର୍ଷ ତଳେ 4 ଦିନର ଶିଶୁକୁ ମାଲକାନଗିରି ରାସ୍ତାକଡରୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରିଥିଲା ପ୍ରଶାସନ । ଆଉ ତାକୁ ନେଇ କୋରାପୁଟ ଦଶମନ୍ତପୁରରେ ଥିବା ଆଇଡିଏସ କ୍ୟାମ୍ପରେ ରଖିବା ପରେ ସେଠାରେ ହୋଇଥିଲା ତାର ନାମକରଣ । ଅଲୋଡା ଶିଶୁ ପାଲଟିଯାଇଥିଲା ସମସ୍ତଙ୍କ ପ୍ରିୟ ଆଦିତ୍ୟ ଆକା ‘ଆଦି’। ହେଲେ ଭାଗ୍ୟର ଲିଖନ କେ କରିବ ଆନ । ଭାରତୀୟ ଶିଶୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଆଗ୍ରହ ଦେଖାଇଥିଲେ ଏହି ସ୍ପେନ ଦମ୍ପତି । ଏଥିପାଇଁ ଅନଲାଇନରେ ଆବେଦନ କରିବା ପରେ ସାତ ଦରିଆ ପାର ହୋଇ ସୁଦୂର ସ୍ପେନରୁ ଧାଇଁ ଆସିଥିଲେ କୋରାପୁଟର ଏହି କ୍ୟାମ୍ପକୁ ।