କୋରାପୁଟ: ଲାଲବାହିନୀ ନଥିଲେ ବି ପ୍ରଶାସନ ଓ ନେତାଙ୍କ ପାଇଁ ଅପହଞ୍ଚ ଇଲାକା ସାଜିଛି ଲାଲଗୁଡା । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ ସବୁ କ୍ଷେତ୍ରରେ ଆସୁଥିବା ସରକାରୀ ଯୋଜନା ଏଠି ଫେଲ। ଶେଷରେ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ।
କୋରାପୁଟ ଜିଲ୍ଲା ମହାଦେଇପୁଟ ପଞ୍ଚାୟତ ଡୋଲିଆମ୍ବରୁ ମାଟିରାସ୍ତାଟିଏ ଗଡିଯାଇଛି ଲାଲଗୁଡା ଗାଁ ଆଡକୁ । ସ୍ଥିତି ଅତ୍ୟନ୍ତ ଦୟନୀୟ। ପ୍ରଶାସନର ନାକତଳେ ଯୋଜନାର ଫଳକ ଲଗାଇଦେଇ ଠିକାଦାର ଅପହଞ୍ଚ ଗାଁକୁ ରାସ୍ତା ଯୋଗାଇ ଦେଇଥିବା ଘୋଷଣା କରୁଛନ୍ତି। ଏପଟେ କିନ୍ତୁ ଗାଁରେ ପହଞ୍ଚିବା ଯେତେ କଷ୍ଟକର ତାଠୁ ବଳିଯାଇଛି ପାନୀୟ ଜଳ ସମସ୍ୟା । ବିଦ୍ୟାଳୟ କି ଅଙ୍ଗନୱାଡି ନାହିଁ ।
ଗାଁରେ ଦିନେ ଲାଲ ପାଇକ ଵଂଶ ଥିବା ଶୁଣିବାକୁ ମିଳୁଥିଲେ ହେଁ ଆଜି କାହିଁକି ତା ସ୍ଥାନରେ କେବଳ ଗଦବା ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି, ସେନେଇ ଇତିହାସ ପୃଷ୍ଠାରେ କୌଣସି ତଥ୍ୟ ନାହିଁ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ କେହି ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଉପକୃତ ହୋଇନାହାନ୍ତି । କେନ୍ଦ୍ର ସରକାରଙ୍କ ଉଜ୍ଜ୍ଵଳା ଯୋଜନାରେ ଗ୍ୟାସ ସିଲିଣ୍ଡର ମଧ୍ୟ ମିଳିନି । ଏକଥା ଅନ୍ତତଃ ପକ୍ଷେ ଭୋଟ ମାଗିବାକୁ ଆସିଲେ ନେତାଙ୍କୁ ପଚାରିବେ ବୋଲି ଭାବିଥିଲେ ଏମାନେ । ହେଲେ ଗାଁ ରାସ୍ତା ଦେଖି ନେତା ବି ଆସିବାକୁ ମନ ବଳାଉନାହାଁନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ ନେତା ଓ ପ୍ରଶାସନ ତରଫରୁ ଭୋଟ ଦେବା ପାଇଁ କରାଯାଉଥିବା ଅନୁରୋଧକୁ ସମ୍ମାନ ଜଣାଇ ଏ ପର୍ଯନ୍ତ ଅବହେଳାର ଶୀକାର ହୋଇଥିବା ଲାଲଗୁଡା ଗାଁ ଲୋକେ ଭୋଟ ଦେଉଥିଲେ। ହେଲେ ଆଉ ନୁହେଁ। ଏଥର ଚରମ ନିଷ୍ପତ୍ତି ନେଇଛନ୍ତି। ଭୋଟ ଦେବାକୁ ସିଧାସିଧା ମନାକରିଛନ୍ତି।
କୋରାପୁଟର ସିଏଚ ଶାନ୍ତାକାର, ଇଟିଭି ଭାରତ