କୋରାପୁଟ: ‘ଗ୍ରାମଫୋନ’ ଅଶୀ ଦଶକର ପ୍ରମୁଖ ମନୋରଞ୍ଜନ ଉତ୍ସ । ଆଉ ଏଥିରୁ ଭାସିଆସୁଥିବା ସଙ୍ଗୀତର ମୁର୍ଚ୍ଛନାରେ ଆବାଳ ବୃଦ୍ଧବନିତା ମତୁଆଲା ହୋଇଥାନ୍ତି । ସେହି ପ୍ରେମରେ ବି ପଡିଥିଲେ କୋରାପୁଟର ସୀମାଦ୍ରି ପାଣିଗ୍ରାହୀ । ଆଉ ସାଇତିବାକୁ ଲାଗିଥିଲେ ସ୍ମରଣୀୟ ସଙ୍ଗୀତ ଗୁଡିକର ଭିନାଇଲ ରେକର୍ଡ । ଭିନାଇଲ ରେକର୍ଡ ସଂଗ୍ରହ କରିବା ସହ ସେଗୁଡିକୁ ଗ୍ରାମୋଫୋନରେ ବଜାଇ ଆନନ୍ଦିତ ହେଉଥିଲେ । ସମୟକ୍ରମେ ସେଗୁଡିକ ବଜାରରୁ ଉଭେଇଯାଇଛି ସତ, ହେଲେ ବର୍ତ୍ତମାନ ସେଗୁଡିକ ଶୋଭାପାଉଛି ସୀମାଦ୍ରିଙ୍କ ପ୍ରଦର୍ଶନୀରେ।
କୋରାପୁଟର ଜଣେ ଯୁବ ଉଦ୍ୟୋଗୀ ସୀମାଦ୍ରି ପାଣିଗ୍ରାହୀ ଛୋଟବେଳୁ ଗ୍ରାମଫୋନ ଶୁଣିବାକୁ ଭଲ ପାଉଥିଲେ । ସେଥିପାଇଁ ଚାରିବର୍ଷ ବୟସରୁ ଗ୍ରାମଫୋନରେ ବ୍ୟବହୃତ ଭିନାଇଲ ରେକର୍ଡ ସଂଗ୍ରହ କରିବା ଆରମ୍ଭ କରିଥିଲେ । ଏପରିକି ବାପା ଦେଉଥିବା ପକେଟ ଖର୍ଚ୍ଚକୁ ମଧ୍ୟ ସୀମାଦ୍ରି ସଞ୍ଚୟ କରି ଭିନାଇଲ ରେକର୍ଡ କିଣିବାରେ ବ୍ୟୟ କରୁଥିଲେ । ଭିନାଇଲ ରେକର୍ଡ ଏକାଠି କରିବା ଓ ଭଳିକି ଭଳି ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଗୀତ ଶୁଣିବା ତାଙ୍କର ନିଶା ପାଲଟିଯାଇଥିଲା । କିନ୍ତୁ 1987 ବେଳକୁ ଭାରତରେ ଭିନାଇଲ ରେକର୍ଡ ଉତ୍ପାଦନ କମିଯିବାପରେ ସେସବୁ ସଂଗ୍ରହ କରିବା କଷ୍ଟ ହୋଇପଡିଥିଲା । ଏହାପରେ ବି ତାଙ୍କ ପାଖରେ ବର୍ତ୍ତମାନ ପ୍ରାୟ 7500ଟି ଭିନାଇଲ ରେକର୍ଡ ରହିଥିବା ସେ ଜଣାଇଛନ୍ତି । ଏଥିମଧ୍ୟରେ 1930 ମସିହାର ଏକ ଭିନାଇଲ ରେକର୍ଡ ମଧ୍ୟ ତାଙ୍କ ପ୍ରଦର୍ଶନୀର ଶୋଭାବର୍ଦ୍ଧନ କରୁଛି ।