କୋରାପୁଟ :ଶୀତର ସ୍ପର୍ଶରେ ପୁଲକିତ ଧରଣୀରାଣୀ । ଘାସ ଗାଲିଚା ଉପରେ ପଡିଛି ଟୋପା ଟୋପା କାକର ବିନ୍ଦୁ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି କୋରାପୁଟ । ସବୁଜ ବନାନୀ ସହ ସୁଉଚ୍ଚ ପାହାଡ଼ ପର୍ବତର ଦୃଶ୍ୟ ବେଶ ମନଲୋଭା । ଜିଲ୍ଲାରେ ଗତ କିଛି ଦିନ ହେଲା ଥଣ୍ତା ବଢିବାରେ ଲାଗିଛି । କୁହୁଡି ଯୋଗୁଁ ମୁହଁକୁ ମୁହଁ ବି ଦେଖାଯାଉନି । ପାରଦ ବି ଦିନକୁ ଦିନ ଖସିବାକୁ ଲାଗିଛି । କୋରାପୁଟରେ ହାଡ ଭଙ୍ଗା ଜାଡର ମଜା ଟିକେ ନିଆରା । ଶୀତୁଆ ସକାଳରେ ମଜା ନେବାକୁ ସଭିଏଁ ତତ୍ପର ।
କେହି କେହି ଶୀତୁଆ ସକାଳରେ ଗରମା ଗରମ ଚା ପାଇଁ ଦୋକାନରେ ଭିଡ ଲଗାଉ ଥିବାବେଳେ ଆଉ କେହି ବ୍ୟାୟାମ ପାଇଁ ପ୍ରାତଃ ଭ୍ରମଣରେ ଆସୁଛନ୍ତି । ଆଉ କେହି ନିଆଁ ଜଳାଇ ଉଷ୍ମତାକୁ ଅନୁଭବ କରୁଛନ୍ତି । ସକାଳ 9ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ । ସଞ୍ଜ ନଇଁବା କ୍ଷଣି ଏବେ ଥଣ୍ଡା ମାଡି ଆସୁଛି । ଥଣ୍ଡା ବଢିବାରୁ ଜନଜୀବନ ମଧ୍ୟ ବେଶ ପ୍ରଭାବିତ ହେଉଛି ।