ଓଡିଶା

odisha

ETV Bharat / state

କୋରାପୁଟରେ ମୂର୍ଚ୍ଛା ରୋଗରେ ଦୁଇ ହଜାର ଶିଶୁ ଆକ୍ରାନ୍ତ - ମୂର୍ଚ୍ଛା ରୋଗରେ ପୀଡି଼ତ ହେଉଛନ୍ତି ଶିଶୁ

କୋରାପୁଟ ଜିଲ୍ଲାରେ ମୂର୍ଚ୍ଛା ରୋଗରେ ପୀଡି଼ତ ଥିବା ଶିଶୁଙ୍କ ପାଇଁ ସଞ୍ଜୀବନି ପାଲଟିଛି ସ୍ଵେଚ୍ଛାସେବୀ ସଂଗଠନ ୱାର୍ଡ । ବିଭିନ୍ନ ଅଞ୍ଚଳ ସର୍ଭେ କରି ମୂର୍ଚ୍ଛା ରୋଗରେ ପୀଡି଼ତ ଶିଶୁଙ୍କୁ ଚିକିତ୍ସା ଯୋଗାଇବା ସହ ଔଷଧ ପ୍ରଦାନ କରୁଛି । ଅଧିକ ପଢ଼ନ୍ତୁ

child affected epilepsy in koraput
ମୂର୍ଚ୍ଛା ରୋଗରେ ପୀଡି଼ତ ହେଉଛନ୍ତି ଶିଶୁ

By

Published : Mar 19, 2023, 9:52 AM IST

କୋରାପୁଟରେ ମୂର୍ଚ୍ଛା ରୋଗରେ ଦୁଇ ହଜାର ଶିଶୁ ଆକ୍ରାନ୍ତ

କୋରାପୁଟ:ମୂର୍ଚ୍ଛା ରୋଗରେ ଆକ୍ରାନ୍ତ ହେଉଛନ୍ତି ଶିଶୁ । କୋରାପୁଟ ଜିଲ୍ଲାରେ ପ୍ରାୟ ଦୁଇ ହଜାର ଶିଶୁ ମୂର୍ଚ୍ଛା ରୋଗରେ ପୀଡି଼ତ ଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ସ୍ଵେଚ୍ଛାସେବୀ ସଂଗଠନ ୱାର୍ଡ ଦ୍ଵାରା ମାନସିକ ସ୍ୱାସ୍ଥ୍ୟ ବାଧିତ ତଥା ମୂର୍ଚ୍ଛା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଜିଲ୍ଲାର ଲକ୍ଷ୍ମୀପୁର ଓ ନାରାୟଣପାଟଣା ବ୍ଲକର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ସଂସ୍ଥା ପକ୍ଷରୁ ସର୍ଭେ କରାଯିବା ସହ ପ୍ରାଥମିକ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଉଛି । ସର୍ଭେ ଅନୁଯାୟୀ, ପ୍ରତି ବ୍ଲକରେ ଶହେରୁ ଊର୍ଦ୍ଧ୍ଵ ଶିଶୁଙ୍କ ପାଖରେ ଏପରି ସମସ୍ୟା ଦେଖାଦେଇଥିବା ପ୍ରକଳ୍ପ ସଂଯୋଜିକା ସୂଚନା ଦେଇଛନ୍ତି ।

ଲକ୍ଷ୍ମୀପୁର ବ୍ଲକରେ ଏହି ପ୍ରକଳ୍ପ ମାଧ୍ୟମରେ 13ଟି ପଞ୍ଚାୟତର 184 ଗ୍ରାମରେ 450 ଜଣ ମାନସିକ ସ୍ୱାସ୍ଥ୍ୟ ଓ ମୂର୍ଚ୍ଛା ରୋଗରେ ପୀଡିତ ବ୍ୟକ୍ତିଙ୍କ ରୋଗର ସଠିକ ନିରୂପଣ କରାଯିବା ସହ ଔଷଧ ପ୍ରଦାନ କରାଯାଇଛି । ପ୍ରଥମେ ସଂସ୍ଥା ପକ୍ଷରୁ ଲକ୍ଷ୍ମୀପୁର ବ୍ଲକରେ ସର୍ଭେ କରାଯାଇଥିଲା । ଏହାପରେ ଚିକିତ୍ସକମାନେ ମାନେ ପ୍ରାଥମିକ ଚିକିତ୍ସା ଯୋଗାଦେବା ସହ ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସଂସ୍ଥାର ସଦସ୍ୟମାନେ ଉପଯୁକ୍ତ ଔଷଧ ପ୍ରଦାନ କରି ସେମାନଙ୍କୁ ସଚେତନ କରାଇଛନ୍ତି । ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଡୁମୁରିପଦରରେ ଚିହ୍ନଟ କରାଯାଇଥିବା ତିନି ଜଣ ମାନସିକ ରୋଗୀ ଓ ସାତ ଜଣ ମୂର୍ଚ୍ଛା ରୋଗୀ ସଂସ୍ଥାର ପ୍ରତ୍ୟକ୍ଷ ତତ୍ଵାବଧାନରେ ନିୟମିତ ଔଷଧ ସେବନ କରିବା ପରେ ସୁସ୍ଥ ହୋଇ ସେମାନେ ନିଜ କାର୍ଯ୍ୟ ନିଜେ କରିବାକୁ ସକ୍ଷମ ହୋଇପାରିଛନ୍ତି ।

ଲକ୍ଷ୍ମୀପୁର ବ୍ଳକରେ ଗତ ଦୁଇ ବର୍ଷ ହେଲା ଯେଉଁମାନେ ନିଜ ନିଜ ପରିବାର ପାଇଁ ବୋଝ ସଦୃଶ ଅସହାୟ ହୋଇ ଘର କୋଣରେ ପଡି ରହୁଥିଲେ ସେମାନଙ୍କ ପାଖରେ ୱାର୍ଡ ସ୍ବେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ଭ୍ରାମ୍ୟମାଣ ମାନସିକ ସ୍ବାସ୍ଥ୍ୟ ସେବା ପହଞ୍ଚି ଏକ ନୂଆ ଜୀବନ ଦେଇଥିବା ଗ୍ରାମବାସୀ କହିଛନ୍ତି । ୱାର୍ଡ ସଂସ୍ଥା ଆନୁକୂଲ୍ୟରେ ଆରମ୍ଭ କରାଯାଇଥିବା 'ବ୍ରେକିଂ ଦ ସାଇଲେନ୍ସ' ପ୍ରକଳ୍ପରେ ନାରାୟଣପାଟଣାର ପାଞ୍ଚଟି ପଞ୍ଚାୟତର 68ଟି ଗ୍ରାମରେ ସର୍ଭେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ।

ମୁଖ୍ୟତଃ ଗ୍ରାମାଞ୍ଚଳରେ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥା ଉପରେ ନିର୍ଭର କରି ଆସୁଥିବା ଲୋକଙ୍କୁ ସରକାରଙ୍କ ଦ୍ଵାରା ଦିଆଯାଉଥିବା ଔଷଧ ଉପରେ ଭରସା ସୃଷ୍ଟି କରାଇବା ସହଜ କାର୍ଯ୍ୟ ନୁହେଁ । ନାକଟିପଦର ଗ୍ରାମରେ ମୂର୍ଚ୍ଛା ରୋଗରେ ପୀଡିତ ଶିଶୁଙ୍କୁ ଚିକିତ୍ସା ପାଇଁ ସଂସ୍ଥା ପକ୍ଷରୁ ଡାକ୍ତରଖାନା ନେବାକୁ ଉଦ୍ୟମ କରାଯାଇଥିଲା । ମାତ୍ର ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । କିନ୍ତୁ ସ୍ଥାନୀୟ ସରପଞ୍ଚଙ୍କ ହସ୍ତକ୍ଷେପ ପରେ ସେମାନେ ରାଜି ହୋଇଥିବା ଜଣାପଡ଼ିଛି । ତେବେ ନାରାୟପାଟଣାର ଗିରି କନ୍ଦରରୁ ବାହାରି ସୁଦୂର କୋରାପୁଟ ଯାଇ ମାନସିକ ରୋଗ ଡାକ୍ତରଙ୍କୁ ଭେଟିବା ଅସମ୍ଭବ ପ୍ରାୟ ହେଉଥିବା ଯୋଗୁଁ ପରିବାର ଲୋକେ ନିରୂପାୟ ହୋଇ ପାରମ୍ପରିକ ଔଷଧ ଓ ଗୁଣିଗାରେଡି ଉପରେ ବିଶ୍ବାସ କରୁଥିବା ଲୋକେ କହିଛନ୍ତି ।

ଏନେଇ ମୂର୍ଚ୍ଚା ରୋଗୀ ପରାମର୍ଶଦାତା ରାମକୃଷ୍ଣ ସୁରଦେବ କହିଛନ୍ତି, " ମୂର୍ଚ୍ଛା ରୋଗରେ ପୀଡିତ ଥିବା ଶିଶୁଙ୍କୁ କୋରାପୁଟ ସ୍ଥିତ ମେଡିକାଲ କଲେଜ ହସ୍ପିଟାଲରେ ମସ୍ତିସ୍କ ସ୍କାନିଂ କରିବା ସହ ଅନ୍ୟାନ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ସରକାରୀ ଭ୍ରାମ୍ୟମାଣ ଚିକିତ୍ସକ ଦଳ ଔଷଧ ଦେଇପାରିବେ । ତେଣୁ ଜିଲ୍ଲାର ଏପରି ଦୁର୍ଗମ ଅଞ୍ଚଳରୁ ପିଲାଙ୍କୁ କୋରାପୁଟ ନେଇ ଆବଶ୍ୟକ ହେଉଥିବା ପରୀକ୍ଷା କରାଇବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରାଗଲେ ଅନେକ ମାନସିକ ବାଧିତ ଓ ମୂର୍ଚ୍ଛା ରୋଗରେ ପୀଡିତ ଶିଶୁ ସୁସ୍ଥ ହୋଇପାରନ୍ତେ ।"

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details