କୋରାପୁଟ:ଜିଲେଟିନ ଷ୍ଟିକ (Gelatin Sticks) ଲଗାଇ ପଥର ବିସ୍ଫୋରଣ । ତେବେ ବେଆଇନ ଭାବେ ପଥର ବିସ୍ଫୋରଣ କରିବାକୁ ଚାଲିଥିଲା ଉଦ୍ୟମ । ଏହି ସମୟରେ ଆତର୍କିତ ଭାବେ ଚଢାଉ କରିଥିଲା ପୋଲିସ । ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ 96ଟି ଜିଲେଟିନ ଷ୍ଟିକ ଜବତ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟର ସେମିଳିଗୁଡା ସହର ଉପକଣ୍ଠ ବେହେରା ଗୁଡା ନିକଟରେ ଜଣେ ବ୍ୟକ୍ତିଙ୍କ ଜମିରେ ବଡ଼ ବଡ଼ ପଥର ଚଟାଣ ରହିଛି । ତେବେ ବିସ୍ଫୋରଣ କରି ଜମିରୁ ପଥର ଚଟାଣ ସଫା କରିବା ନିମନ୍ତେ ଜିଲୋଟିନ ଷ୍ଟିକ ବ୍ୟବହାର କରିବାକୁ ଯୋଜନା କରିଥିଲେ । ଏଥିନିମନ୍ତେ ରବିବାର ରାତିରେ ଜିଲେଟିନ ଷ୍ଟିକ ଦ୍ବାରା ବିସ୍ଫୋରଣ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ ଅଭିଯୁକ୍ତ । ହେଲେ ଏନେଇ ପୋଲିସ ଠାରୁ କୌଣସି ଅନୁମତି ନେଇନଥିଲେ । ବିନା ଅନୁମତିରେ ପଥର ବ୍ଲାଷ୍ଟିଂ ଚାଲୁଥିବା ଖବର ପାଇଥିଲା ପୋଲିସ । ଏହାପରେ ସେମିଳିଗୁଡା ପୋଲିସ ଏସ୍ଆଇ ଦୀପକ କୁମାର ବାରିକ ପୋଲିସ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ । ପଥର ଚଟାଣରେ ଗାତ ଖୋଳି ଗାତ ଭିତରେ ଜିଲେଟିନ ଷ୍ଟିକ ଭର୍ତ୍ତି କରି ତାର ଲଗାଉଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଥିଲା । ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଲୁଙ୍ଗୁରି ଗ୍ରାମର ଧନୀ ଖରା, ଗୋବିନ୍ଦ ଖରା ଏବଂ ମାନିଆର ତ୍ରିନାଥ ବେନିଆ ।