କୋରାପୁଟ:ଓଡ଼ିଶାର ଦେଢ ଲକ୍ଷ ହେକ୍ଟର ଜମିରେ ହେବ କଫି ଚାଷ । ଏନେଇ ରାଜ୍ୟ ସରକାର ଯୋଜନା କରିଥିବା ବେଳେ ଏହାର କାର୍ଯ୍ୟକାରିତା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସରକାରଙ୍କ ଏହି ପ୍ରୟାସ ପାଇଁ କେନ୍ଦ୍ର କଫି ବୋର୍ଡ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ଓ କୋରାପୁଟ ଜିଲ୍ଲାର କଫି ଚାଷୀ ଏହାର ନେତୃତ୍ୱ ନେବେ ବୋଲି କେନ୍ଦ୍ରୀୟ କଫି ବୋର୍ଡର ସଚିବ କେ.ଜି.ଜଗଦିଶା କହିଛନ୍ତି । କୋରାପୁଟ ଗସ୍ତ କରି ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଏବଂ କଫି ଚାଷୀ ଓ ଉଦ୍ୟୋଗୀଙ୍କ ସହ ଚର୍ଚ୍ଚା କରିଛନ୍ତି କେନ୍ଦ୍ରୀୟ କଫି ବୋର୍ଡର ସଚିବ ।
ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କୋରାପୁଟ କଫିର ବେଶ ଚାହିଦା ରହିଛି । କୋରାପୁଟ ସମେତ ଓଡିଶାରେ କଫି ଚାଷ ପାଇଁ ଅନୁକୁଳ ଭିତ୍ତିଭୂମି ରହିଛି । ଯେଉଁଥିପାଇଁ ରାଜ୍ୟ ସରକାର କୋରାପୁଟରେ ଦେଢ ଲକ୍ଷ ହେକ୍ଟର ଜମିରେ କଫି ଚାଷ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଏହାକୁ ସମର୍ଥନ ଜଣାଇ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ରୀୟ କଫି ବୋର୍ଡର ସଚିବ କେ.ଜି.ଜଗଦିଶା ।
ସୋମବାର ଦିନ କୋରାପୁଟ ସଦଭାବନା ଗୃହରେ ଆୟୋିଜତ ଏକ ବୈଠକରେ ଯୋଗ ଦେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ, କଫି ଚାଷୀ ଓ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଛନ୍ତି କେ.ଜି.ଜଗଦିଶା । କୋରାପୁଟ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏ ପର୍ଯ୍ୟନ୍ତ କଫି ଚାରା ପ୍ରସ୍ତୁତ କରି ଲାଭବାନ ହେଉଥିବା ବେଳେ ସେମାନେ କିପରି କଫି ବଗିଚାର ପରିଚାଳନା କରିବା ସହ କଫିର ପ୍ରକ୍ରିୟାକରଣ କରି ଅଧିକ ଲାଭ ପାଇପାରିବେ ସେନେଇ ବୈଠକରେ ଆଲୋଚନା ହୋଇଥିଲା । କଫି ବୋର୍ଡ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସଚିବ ।
ଏହାମଧ୍ୟ ପଢନ୍ତୁ.. ନାଲି ଓ ହଳଦିଆ କଫି ଫଳ ଦେଉଛି ଭଳିକି ଭଳି ସ୍ବାଦର କଫି, ଚର୍ଚ୍ଚାରେ ବ୍ରାଜିଲିଆନ ୟେଲୋ ବର୍ବନ କଫି