କୋରାପୁଟ:ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଅର୍ଥ ଆଦାୟ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଟ୍ରାନ୍ସଫର ସାର୍ଟିଫିକେଟ ଦେବା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଅର୍ଥ ଆଦାୟ କରୁଥିଲେ ପ୍ରଧାନ ଶିକ୍ଷୟିତ୍ରୀ । ଏନେଇ ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଜିଲ୍ଲାପାଳ ଏବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ।
କୋରାପୁଟ ବ୍ଲକ ଅନ୍ତର୍ଗତ ଉମୁରିଠାରେ ଥିବା ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ଦୁର୍ନିତୀ ଅଭିଯୋଗ । ସୂଚନା ଅନୁଯାୟୀ, ଉମୁରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନାମଲେଖା ଠାରୁ ଆରମ୍ଭ କରି ଟ୍ରାନ୍ସଫର ସାର୍ଟିଫିକେଟ ଦେବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ପାଇଁ ଅର୍ଥ ଆଦାୟ କରାଯାଉଥିଲା । ତେବେ ଏଭଳି ନିୟମକୁ ବିରୋଧ କରି ଅଭିଭାବକମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଡିଡବ୍ଲ୍ୟୁଓ ସୁନିଲ କୁମାର ତାଣ୍ଡି ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିଲେ ।
ଏବାବଦରେ କୋରାପୁଟ ଡିଡବ୍ଲ୍ୟୁଓ କହିଥିଲେ ଛାତ୍ରଛାତ୍ରୀଙ୍କଠାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୌଣସି ଅର୍ଥ ଆଦାୟ କରିନାହାନ୍ତି । ତେବେ ତାଙ୍କର ଏହି ବୟାନ ପରେ ଅଭିଭାବକମାନେ ଡିଡବ୍ଲ୍ୟୁଓ ସୁନିଲ କୁମାର ତାଣ୍ଡିଙ୍କ ତଦନ୍ତ ଉପରେ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ପିଲାଙ୍କ ଠାରୁ ଅର୍ଥ ଆଦାୟ କରିଥିବା ନେଇ ସେମାନଙ୍କ ପାଖରେ ପ୍ରମାଣ ରହିଥିବା ଦର୍ଶାଇ ଏ ସଂକ୍ରାନ୍ତରେ କିଛି ଭିଡିଓ ମଧ୍ୟ ଡିଡବ୍ଲ୍ୟୁଓଙ୍କୁ ଦେଖାଇଥିଲେ ଅଭିଭାବକ ।