କୋରାପୁଟ: ଚାରିଆଡେ ମହାମାରୀ କୋରୋନାର ଆତଙ୍କ । ଅବିଭକ୍ତ କୋରାପୁଟର ଏକମାତ୍ର ମେଡିକାଲ କଲେଜରେ ମାସ୍କର ଅଭାବ । ଏହାକୁ ନେଇ ଏସଏଲଏନସି ମେଡିକାଲ କଲେଜର କାର୍ଯ୍ୟରତ କର୍ମଚାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୋରୋନାର ଭୟ ଓ ଅସୁରକ୍ଷିତ କର୍ମକ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଭିଯୋଗରୁ ବାଦ ପଡିନାହିଁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ।
ମହାମାରୀ କୋରୋନାର ଭୟ ଅନେକ ଦିନ ହେବ ଲାଗି ରହିଛି । ସରକାରଙ୍କ ତରଫରୁ ଏଠାରେ କାର୍ଯ୍ୟରତ କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷାର କବଚ ଭାବେ ଦିଆଯାଉଥିବା ମାସ୍କ , ସାନିଟାଇଜର, ଗ୍ଲୋଭସ ପ୍ରଭୃତି ଦିଆଯାଇନଥିବାରୁ ଚାପା ଅସନ୍ତୋଷ ଦେଖାଦେଇଛି । ମେଡିକାଲରେ କିଛି ପରିମାଣରେ ଏହି ସୁରକ୍ଷା କିଟ ହସ୍ପିଟାଲକୁ ଆସିବା ପରେ ଏହାର ବଣ୍ଟନରେ ପାତର ଅନ୍ତର କରାଯାଇଥିବା ଷ୍ଟାଫ ନର୍ସ , ସୁଇପର , ସିକ୍ୟୁରିଟି ଗାର୍ଡ ପ୍ରଭୃତି କର୍ମଚାରୀ ଅଭିଯୋଗ କରିଛନ୍ତି । ରୋଗୀଙ୍କ ଅତି ପାଖରେ ରହି କାର୍ଯ୍ୟ କରୁଥିବା ନର୍ସ ,ସ୍ବାସ୍ଥ୍ୟ କର୍ମୀ ଓ ସୁଇପରଙ୍କୁ ସେଥିରୁ କିଛି ନଦେଇ କର୍ତ୍ତୃପକ୍ଷ କେଵଳ ଡାକ୍ତରଙ୍କୁ ଯୋଗାଇଦେବା ଘଟଣାକୁ ସେମାନେ ସହଜରେ ଗ୍ରହଣ କରିପାରିନାହାନ୍ତି ।