କୋରାପୁଟ: ଭୋଟର ସଚେତନତା ଥିଲେ ରାସ୍ତା କଡରେ ମଧ୍ୟ ସୁରକ୍ଷିତ ଭୋଟଦାନ ସମ୍ଭବ । ପୋଲିସ ବାହିନୀର କଡା ସୁରକ୍ଷା ବଳୟ ମଧ୍ୟରେ ଥାଇ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସୁରକ୍ଷିତ ବାତାବରଣ ସୃଷ୍ଟି ହେବା ଯୋଗୁଁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବା ବେଳେ କୋରାପୁଟ ଜିଲ୍ଲାର ଏକ ଦୁର୍ଗମ ଗାଁରେ ଏକ ଡାଳ ପତ୍ରର କୁଡିଆରେ ୯୯ ପ୍ରତିଶତ ଭୋଟର ନିଜ ମତଦାନ କରି ଏକ ଅଭୂତପୂର୍ବ ଉଦାହରଣ ପ୍ରଦର୍ଶନ କରିଛନ୍ତି ।
ଘଟଣାଟି ଘଟିଛି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ନନ୍ଦୀଗାଁ ପଞ୍ଚାୟତର ଖାରାଗୁଡା ଗାଁରେ । ପ୍ରଶାସନିକ କଳର ଅଣଦେଖା ଯୋଗୁଁ ରାସ୍ତାଘାଟ ଓ ପାଣିର ସମସ୍ୟାରେ ପେଶି ହୋଇଯାଇଥିବା ଏହି ଗାଁରେ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ଘର ଟିଏ ନ ପାଇ ଡାଳ ପତ୍ରରେ ଏକ ଭୋଟ କେନ୍ଦ୍ର ତିଆରି କରି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଗାଁରେ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଥିଲେ ବି ଗ୍ରାମବାସୀ କିନ୍ତୁ ବିନା କୌଣସି ଅଭିଯୋଗ କରି ପ୍ରାୟ ଶତ ପ୍ରତିଶତ ମତଦାନ କରି ଭୋଟର ସଚେତନତାର ଏକ ଉଚ୍ଚତର ସୋପାନର ପ୍ରଦର୍ଶନ କରିଛନ୍ତି ।