ଓଡିଶା

odisha

ETV Bharat / state

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ରକୁ ଆସିଲା ନିମନ୍ତ୍ରଣ

Srimandir Parikrama Project inauguration: ଉଦଘାଟନ ହେବାକୁ ଯାଉଛି ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ସେନେଇ ଶ୍ରୀକ୍ଷେତ୍ରରୁ ନିମନ୍ତ୍ରଣ ନେଇ ଶାବର ଶ୍ରୀକ୍ଷେତ୍ରକୁ ଆସିଛନ୍ତି ସେବାୟତ ଏବଂ ବରିଷ୍ଠ ପଦାଧିକାରୀ । ଆଗକୁ ପଢ଼ନ୍ତୁ

ଶ୍ରୀକ୍ଷେତ୍ରରୁ ନିମନ୍ତ୍ରଣ
ଶ୍ରୀକ୍ଷେତ୍ରରୁ ନିମନ୍ତ୍ରଣ

By ETV Bharat Odisha Team

Published : Dec 29, 2023, 8:51 AM IST

ଶ୍ରୀକ୍ଷେତ୍ରରୁ ନିମନ୍ତ୍ରଣ

କୋରାପୁଟ: ଉଦଘାଟନ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ସେନେଇ 30ଟି ଜିଲ୍ଲା ପାଇଁ ୩୦ଟି ଟିମରେ ୧୨୪ଜଣ ସେବାୟତଙ୍କୁ ନିୟୋଜିତ କରାଯାଇ ନିମନ୍ତ୍ରଣ ପତ୍ର ଯୋଗେ ସେହି ଭବ୍ୟ ସମାରୋହରେ ସମ୍ମିଳିତ ହେବାକୁ ନିମନ୍ତ୍ରିତ କରାଯାଉଛି । ଏହି କ୍ରମରେ ଶ୍ରୀକ୍ଷେତ୍ରରୁ କୋରାପୁଟ ଶାବର ଶ୍ରୀକ୍ଷେତ୍ରକୁ ଆସିଛନ୍ତି ସେବାୟତ ଏବଂ ବରିଷ୍ଠ ପଦାଧିକାରୀ । ସଂକୀର୍ତ୍ତନ ଏବଂ ଜିଲ୍ଲାର ପାରମ୍ପରିକ ଢେମସା ନୃତ୍ୟ ମାଧ୍ୟମରେ ନିମନ୍ତ୍ରଣ ଦଳକୁ ପାଛୋଟି ନେଇଛନ୍ତି ଜିଲ୍ଲାବାସୀ ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବର ନିମନ୍ତ୍ରଣ ପତ୍ରକୁ ନେଇ ଗୁରୁବାର ପୁରୀରୁ ସେବାୟତ ଏବଂ ବରିଷ୍ଠ ପଦାଧିକାରୀ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ପହଞ୍ଚିଥିଲେ । ତାଙ୍କୁ କୋରାପୁଟ ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଏବଂ ବହୁ ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ସ୍ୱାଗତ କରାଯାଇଛି । ଆଦିବାସୀ ମହିଳା ଓ ପୁରୁଷଙ୍କ ଦ୍ୱାରା ସଂକୀର୍ତ୍ତନ ଓ କୋରାପୁଟ ଜିଲ୍ଲାର ପାରମ୍ପରିକ ଢେମସା ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ପୁରୀ ଶ୍ରୀମନ୍ଦିରରୁ ନିମନ୍ତ୍ରଣ ପତ୍ର ଆଣିଥିବା ସେବାୟତଙ୍କୁ ଜାତୀୟ ରାଜପଥ ନିକଟରୁ ପାଛୋଟି ନେଇଥିଲେ ଅଞ୍ଚଳବାସୀ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବିଭିନ୍ନ ମନ୍ଦିରରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର

କୋରାପୁଟ ଜିଲ୍ଲାର ଶାବର ଶ୍ରୀକ୍ଷେତ୍ର ଭାବେ ପରିଚିତ । କୋରାପୁଟ ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ତଥା ନାରାୟଣପାଟଣା ସ୍ଥିତ କୋରାପୁଟ ଅଞ୍ଚଳର ବହୁ ପୁରାତନ ଜଗନ୍ନାଥ ମନ୍ଦିରର କମିଟି ସଦସ୍ୟଙ୍କ ଉପସ୍ଥିତିରେ କୋରାପୁଟ ମନ୍ଦିରରେ ତିନି ଠାକୁରଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବର ନିମନ୍ତ୍ରଣ ପତ୍ର ସମର୍ପିତ କରିବା ସହ ପୁରୀରୁ ଅଣାଯାଇଥିବା ପ୍ରସାଦ ଓ ତୁଳସୀ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଉତ୍ସବରେ କୋରାପୁଟ ଓ ନାରାୟଣପାଟଣାର ମନ୍ଦିର ପରିଚାଳନା କମିଟିର ଦୁଇ ଜଣ ଲେଖାଏଁ ସଦସ୍ୟଙ୍କ ସହିତ ସାଧାରଣ ଭକ୍ତ ଜାନୁଆରୀ 17 ତାରିଖରେ ଅନୁଷ୍ଠିତ ହେଉଥିବା ଭବ୍ୟ ସମାରୋହରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି ।

ଶ୍ରୀମନ୍ଦିରର ସେବାୟତ ଲୋକନାଥ ପ୍ରତିହାରୀ କହିଛନ୍ତି ଯେ, ଶାବର ଶ୍ରୀକ୍ଷେତ୍ରର ମନୋରମ ଦୃଶ୍ୟ ଏବଂ ଅନନ୍ୟ ଉପସ୍ଥିତି, ପାରମ୍ପରିକ ନୃତ୍ୟ ପରିବେଷଣ ତଥା କୋରାପୁଟବାସୀଙ୍କ ଆତିଥ୍ୟତାରେ ପୁରୀ ଶ୍ରୀମନ୍ଦିରରୁ ଆସିଥିବା ସେବାୟତ ବିମୋହିତ ହୋଇଛନ୍ତି । ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ବିଶେଷ ମାହାତ୍ମ୍ୟ ରହିଛି । ତେବେ ୨୦୧୯ ମସିହାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରାଯାଇଥିବା ବେଳେ ୨୦୨୧ ମସିହାରେ ଏହା ରୂପାୟନ ହୋଇଥିଲା । ଶ୍ରୀମନ୍ଦିର ଠାରୁ ୭୫ ମିଟର ବ୍ୟାସାର୍ଦ୍ଧରେ ଏହି ପରିକ୍ରମା କାର୍ଯ୍ୟକ୍ରମରେ ୯ ଗୋଟି ପ୍ରକଳ୍ପ ସ୍ଥାନ ପାଇଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details