ଓଡିଶା

odisha

ETV Bharat / state

ବାଇକକୁ ସାମ୍ନାରୁ ଧକ୍କା ଦେଲା ଟ୍ରକ, ଚାଲିଗଲା 2 ଜୀବନ - ୨୬ ନମ୍ବର ଜାତୀୟ ରାଜପଥରେ ବାଇକ ଟ୍ରକ ମୁହାଁମୁହିଁ ଧକ୍କା

ଜୟପୁର ୨୬ ନମ୍ବର ଜାତୀୟ ରାଜପଥରେ ବାଇକ-ଟ୍ରକ ମଧ୍ୟରେ ଧକ୍କା । ଏହି ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

road accident in jeypore
road accident in jeypore

By

Published : Feb 16, 2023, 7:19 AM IST

କୋରାପୁଟ: ଜୟପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ସାମ୍ନାରୁ ପିଟିଲା ଟ୍ରକ । ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜୟପୁର ୨୬ ନମ୍ବର ଜାତୀୟ ରାଜପଥର ତଥାସ୍ତୁ ହୋଟେଲ ନିକଟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ।

ରାତି ପ୍ରାୟ ୯ଟା ସମୟରେ ଜୟପୁର ୨୬ ନମ୍ବର ଜାତୀୟ ରାଜପଥର ତଥାସ୍ତୁ ହୋଟେଲ ନିକଟରେ ଟ୍ରକ ଓ ବାଇକ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜଣକର ମୃତ୍ୟୁ ହୋଇଥିବା ବେଳେ ଶହୀଦ ଲକ୍ଷ୍ମଣ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଛି । ଦୁଇ ମୃତକ ହେଲେ କୋରାପୁଟ ବ୍ଳକ ମାଛରା ଗ୍ରାମର ମଦନ ଭୋଇ ଏବଂ ଶିବ ଭୋଇ ।

ସୂଚନା ଅନୁସାରେ ମଦନ ଏବଂ ଶିବ ଓଡି୧୦କେ ୬୫୫୩ ନମ୍ବର ବିଶିଷ୍ଟ ଏକ ବାଇକ ଯୋଗେ କୋରାପୁଟରୁ ମାଛରା ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଓଡି୦୭ଏଇ ୯୭୭୧ ଏକ କାଠ ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ମଦନଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ କୋରାପୁଟ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁତରଙ୍କୁ କୋରାପୁଟ ଏସ୍ ଏଲ୍ ଏନ୍ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଶିବ ମଧ୍ୟ ଆଖି ବୁଜିଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ: ମାଣ୍ଡିଆପଲ୍ଲୀ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୩ଲକ୍ଷ ଅନୁକମ୍ପା ସହାୟତା

ପ୍ରକାଶଥାଉକି, ଗତ ୩ଦିନ ପୂର୍ବରୁ କୋରାପୁଟରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସ୍ବାମୀ, ସ୍ତ୍ରୀ ଓ ଏକ ଦେଢ ବର୍ଷ ଶିଶୁର ମୃତଦେହ ଉଦ୍ଧାର କରିଥିଲା ପୋଲିସ । କୋରାପୁଟ ଜିଲ୍ଲା ତୟାପୁଟରୁ ସାମ୍ନାକୁ ଆସିଥିଲା ଏହି ଅଭାବନୀୟ ଘଟଣା ।

ସୂଚନା ରହିଥିଲା ଯେ, ଲିଙ୍ଗାଙ୍କ ଘରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ମହିଳାଙ୍କ ମୃତଦେହ ସୋଫାରେ ପଡିଥିବା ବେଳେ ଦେଢ଼ ବର୍ଷ ଶିଶୁର ମୃତଦେହ ତଳେ ପଡିଥିବା ପୋଲିସ ଦେଖିବାକୁ ପାଇଥିଲା । ଏହାପରେ ଲିଙ୍ଗା ବିଶୋଇର ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା । ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ସ୍ବାମୀ ଲିଙ୍ଗା ପ୍ରଥମେ ସ୍ତ୍ରୀକୁ ଓ ପରେ ଛୁଆକୁ ହତ୍ୟା କରିବା ପରେ ଜୀବନ ହାରିଥିବା ସନ୍ଦେହ କରାଯାଇଥିଲା । ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details