କୋରାପୁଟ: ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଆଜି ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ତିନିଠାକୁରଙ୍କ ଦିବ୍ୟ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଇଛି । ପାରମ୍ପରିକ ହୋମ, ଯଜ୍ଞ, ପୂଜାବିଧିକୁ ଅନୁସରଣ କରାଯାଇ ରଥକାଠ ଅନୁକୂଳ କାରାଯାଇଛି । ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଥିବା ଗାୟତ୍ରୀ ମଣ୍ଡପକୁ ଜଗନ୍ନାଥଙ୍କ ପାଖରୁ ଆଜ୍ଞା ମାଳ ଆସିବା ପରେ ରଥ କାଠ ଅନୁକୂଳ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।
ଜଗନ୍ନାଥଙ୍କଠାରୁ ଆସିଥିବା ସେହି ଆଜ୍ଞାମାଳକୁ ତିନି ରଥରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଅଣାଯାଇଥିବା ତିନୋଟି କାଠକୁ ନୀତି ଅନୁଯାୟୀ ପୂଜା କରାଯାଇଥିଲା । ଏହାପରେ ଗାୟତ୍ରୀ ଯଜ୍ଞ ଏବଂ ନୃସିଂହ ମହା ଯଜ୍ଞ କରାଯାଇଥିଲା । ଯଜ୍ଞ ପରେ ବିଶ୍ୱକର୍ମା ବିଶ୍ୱନାଥ ମହାରଣାଙ୍କ ଦ୍ଵାରା ତିନୋଟି କାଠରେ ଅଷ୍ଟଦଳ ପଦ୍ମ ଅଙ୍କନ କରାଯାଇ ଯଜ୍ଞବେଦୀରେ ସମର୍ପିତ କରାଯାଇଥିଲା । ଆଜିର ଏହି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୂଜା ପାଇଥିବା କାଠ ତିନୋଟିକୁ ତିନି ରଥରେ ତିନିଠାକୁରଙ୍କ ଆସ୍ଥାନ ସିଂହାସନ ପଛପଟେ ଲଗାଇଦିଆଯିବ ବୋଲି ମହାରଣାଙ୍କ ପକ୍ଷରୁ କୁହାଯାଇଛି । ଏହାପରେ ଶାବର ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ନୃସିଂହ ଦେବତାଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ସହ ଆଦିବାସୀଙ୍କ ଇଷ୍ଟ ଦେବତା ମାତାରବନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ।