କୋରାପୁଟ:ଦୀର୍ଘ ଦୁଇ ବର୍ଷ ପରେ ଆଜି ଶାବର ଶ୍ରୀକ୍ଷେତ୍ରରେ ପୁଣିଥରେ ତିନୋଟି ରଥରେ ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ପାଇଁ 2019ରେ କୋରାପୁଟରେ ତିନୋଟି ରଥର ପ୍ରଚଳନ ଆରମ୍ଭ ହେବା ସହ ମହିଳା ମାନଙ୍କୁ ସ୍ବତନ୍ତ୍ର ସୁଯୋଗ ଦେବା ପାଇଁ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତିକୁ ପହଣ୍ଡି କରିବା ଓ ସୁଭଦ୍ରାଙ୍କ ରଥରେ ଦୁଇଜଣ ମହିଳା ଡାହୁକ ରହିବା ଭଳି ଐତିହାସିକ ପଦକ୍ଷେପ ନିଆଯାଇଥିଲା । ବିନା କୌଣସି ଅସୁବିଧାରେ ସମ୍ପନ୍ନ ହୋଇଥିବା ଏହି ନୂତନ ପରମ୍ପରାକୁ ପ୍ରଶଂସା କରାଯାଇଛି ।
ତେବେ ପୂର୍ବ ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତଙ୍କ ଗହଣରେ ରଥଯାତ୍ରା ସମ୍ପନ୍ନ ହୋଇପାରିନଥିଲା ଏବଂ ଆଜି ପୁଣିଥରେ ତିନୋଟି ରଥକୁ ନେଇ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି । କିନ୍ତୁ, ମନ୍ଦିର ପରିଚାଳନା କମିଟି ଦ୍ବାରା ମହିଳାଙ୍କ ଦ୍ଵାରା ସୁଭଦ୍ରାଙ୍କ ପହଣ୍ଡି ଓ ରଥ ଉପରେ ମହିଳାଙ୍କ ଦାୟିତ୍ଵକୁ ହଟାଇ ଦିଆଯାଇ କେବଳ ସୁଭଦ୍ରାଙ୍କ ରଥକୁ ମହିଳା ମାନଙ୍କୁ ଟାଣିବାର ସୁଯୋଗ ଦିଆଯାଇଥିଲା । ମହିଳାଙ୍କ ସହଯୋଗକୁ ସଂକୀର୍ଣ୍ଣ କରିବା ପାଇଁ ମନ୍ଦିର କମିଟି ଏପରି କାର୍ଯ୍ୟ କରିଥିବା ଅଭିଯୋଗ କରି ଆସନ୍ତା ଥର ମହିଳାଙ୍କ ଯୋଗଦାନକୁ ପ୍ରାଥମିକତା ଦେବା ପାଇଁ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ମହିଳା କବି ପ୍ରିତିଧାରା ସାମଲ ଦାବି କରିଛନ୍ତି ।